ଏଲ୍‌ଏସିରେ ପୁଣି ଚୀନର ଷଡଯନ୍ତ୍ର, ଉଡାଇଲା ଲଢୁଆ ବିମାନ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସୀମାର ଅତି ନିକଟରେ ଚୀନର ଲଢୁଆ ବିମାନ ଉଡିଛି। ଗତ ଜୁନ ମାସ ଶେଷ ସପ୍ତାହରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟରେ ଏହି ଲଢୁଆ ବିମାନ ଉଡିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଭାରତୀୟ ବାୟୁସେନା ତତ୍‌କ୍ଷଣାତ ଆକ୍ସନକୁ ଆସିଥିଲା। ଏହାସହିତ ଆଗକୁ ଏପରି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି।

ସୂଚନା ଅନୁସାରେ, ଜୁନ ଶେଷ ସପ୍ତାହର ଗୋଟିଏ ଦିନ, ପାଖାପାଖି ଅପରାହ୍ନ ୪ଟା ସମୟରେ ଚୀନ ଲଢୁଆ ବିମାନ ଭାରତୀୟ ସୀମାର ଅତି ନିକଟରେ ଉଡିଥିଲା। ଏହାକୁ କିଛି ଲୋକେ ଦେଖିଥିଲେ। ସୀମାରେ ନିୟୋଜିତ ରାଡାରରେ ମଧ୍ୟ ଏହାକୁ ଠାବ କରାଯାଇଥିଲା। ତେବେ ଏହି ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ଚୀନ୍ ବାୟୁସେନା ପୂର୍ବ ଲଦାଖ ନିକଟରେ ତାହା ଦ୍ବାରା ନିୟନ୍ତ୍ରିତ ଅଞ୍ଚଳରେ ଏସ-୪୦୦ ଭଳି ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ସହ ଯୁଦ୍ଧ ଅଭ୍ୟାସ କରୁଥିଲା।