୨ ଉପନିର୍ବାଚନ ଜିତିବା ପରେ ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ବିଜୟୀ ହେବାପରେ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ହୋଇଥିବା ସ୍ୱରୂପ ଦାସ ଏବଂ ବିଜୟ ଶଙ୍କର ଦାସଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡିର ପ୍ରାର୍ଥୀଙ୍କୁ ଶୁଭେଚ୍ଛା।

ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ’ । ସେହିପରି କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁ ଜନତା ଦଳ ସର୍ବଦା ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।