ରାଜ୍ୟରେ ଖୋଲିଲା ୧୪ ସାଇବର ଥାନା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୫୪ ପଦବୀ ସୃଷ୍ଟି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସାଇବର ଅପରାଧ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ବ୍ୟାଙ୍କ୍‌ରୁ ଲକ୍ଷାଧିକ ଟଙ୍କା ଆଖି ପିଛୁଳାକେ ଅପରାଧୀ ଲୁଟି ନେଉଛନ୍ତି। ଓଡ଼ିଶା ସରକାର ଏନେଇ ଚିନ୍ତିତ ହେବା ସହ ଠକ ଠାବ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ ସ୍ୱରୂପ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି। ୧୪ ସାଇବର ଥାନା ବି ଲୋକାର୍ପିତ ହୋଇଛି।

ବୁଧବାର ଭର୍ଚୁଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଇମ୍ପୋଭ୍ୟାଲି, ପାହାଳ ଓ କଟକ ବୟାଳିଶି ମୌଜାର ଉନ୍ନିତ ତିନି ଥାନା ସହ ରାଜ୍ୟରେ ୧୪ ନୂଆ ସାଇବର ଥାନାର ଉଦ୍‌ଘାଟନ କରି ‘ସାଇବର କ୍ରାଇମ’ ସମାଜରେ ପ୍ରମୁଖ ଅପରାଧ ପାଲଟିଛି ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସାଇବର ଅପରାଧ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ହୋଇଛି। ଦେଶ ତଥା ଆମ ରାଜ୍ୟ ଓଡ଼ିିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଛି। ସାଧାରଣ ଲୋକଙ୍କ ଝାଳବୁହା ଟଙ୍କାକୁ ସେମାନେ ଲୁଟି ନେଉଛନ୍ତି। ବ୍ୟାଙ୍କ୍ ଦେଣନେଣ ତଥା ଜଟିଳ ଡିଜିଟାଲ୍ ଦେଣନେଣରେ ସାଇବର୍ ଅପରାଧ ଅଧିକ ଭାବରେ ସଂପୃକ୍ତ। ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସନ୍ଧାନ ଓ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ।

ସାଇବର ଅପରାଧ ତଥା ତଦ୍‌ଜନିତ ଆର୍ଥିକ ଅପରାଧକୁ ରୋକିବା ଜରୁରୀ। ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଇବର ଥାନା ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏହି ଅପରାଧ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିିଛି। ସେଥିପାଇଁ ଉଦ୍‌ଘାଟିତ ହୋଇଥିବା ଥାନାରେ ତାଲିମ୍ ପ୍ରାପ୍ତ ପୁଲିସ୍ କର୍ମଚାରୀ ଓ ଟେକ୍ନିକାଲ ଏକ୍ସପର୍ଟମାନେ ରହିବେ। ସେମାନଙ୍କୁ ଉନ୍ନତ ମାନର ସପ୍ଟୱେର ଯୋଗାଯିବ। ଫଳରେ ସାଇବର ଅପରାଧ ରୋକିବାରେ ତାହା ସହାୟକ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏହି ସାଇବର ଥାନାଗୁଡ଼ିକ ୟେହେଉଛି କଟକ, ଭୁବବନେଶ୍ୱର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗିର ଓ କନ୍ଧମାଳ। ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ତିନୋଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ। ଏହି ଥାନାଗୁଡ଼ିକରେ ନିଯୁକ୍ତି ପାଇଁ ପୁଲିସ୍ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି। ସେଗୁଡ଼ିକ ମଧ୍ୟରେ ୧୪ ଇନ୍ସପେକ୍ଟର,୨୮ ସବ୍‌ଇନ୍ସପେକ୍ଟର, ୨୮ ଏଏସ୍‌ଆଇ (ଯୋଗାଯୋଗ),୨୮ କନେଷ୍ଟବଳ (ଯୋଗାଯୋଗ) ଓ ୫୬ କନେଷ୍ଟବଳ ପଦବୀ ଅନ୍ତର୍ଭୁକ୍ତ। ୯୦ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନାଗୁଡ଼ିକରେ ନିୟୋଜିତ କରାଯିବ। ସୋମନଙ୍କ ମଧ୍ୟରେ ଅର୍ଥ, ଆକାଉଣ୍ଟସ୍‌, ଆଇଟି ଓ ଫୋରେନ୍ସିକ ଏକ୍ସପାର୍ଟ ସାମିଲ ରହିବେ। ମୁଖ୍ୟମନ୍ତ୍ରୀ ଗତ ୧୪ରେ ଏହି ପଦବୀଗୁଡ଼ିକୁ ମଞ୍ଜୁରୀ ଦେଇଥିଲେ।

ପୁଲିସ ଡିଜି ଅଭୟ ନୂଆ ସପ୍ଟୱେର ଦ୍ୱାରା ପୁଲିସ୍ ବାହିନୀର ଶକ୍ତି ବୃଦ୍ଧି ପାଇବ ବୋଲି ସ୍ୱାଗତ ଭାଷଣରେ କହିଥିଲାବେଳେ ଆଇଜି ଅପରେସନ୍ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭିକେ ପାଣ୍ଡିଆନ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।