ଭୁବନେଶ୍ବର,ଏନ୍ଏନ୍ଏସ୍: ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜ ତଥା ନିଜ ପରିବାରର ଜୀବନ ରକ୍ଷା ପାଇଁ କ୍ୱାରେଣ୍ଟାଇନ୍ରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡାକଡି ପାଳନ କରନ୍ତୁ। ଏହାର ଉଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ। ଉଲଂଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହା ସହ ନବୀନ କହିଛନ୍ତି, ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର। ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ। ପ୍ରତିଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟାଇନ୍ର ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ରହିଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ନିରନ୍ତର କାମ କରୁଛନ୍ତି। ବହୁ ଓଡ଼ିଆ ନିଜ କର୍ମରୁ ଊର୍ଦ୍ଧ୍ୱକୁ ଯାଇ ତ୍ୟାଗ ମନୋଭାବ ନେଇ ଏପରି ପରିସ୍ଥିତିକୁ ସାମ୍ନା କରୁଛନ୍ତି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜର ଉତ୍ତର ଦାୟିତ୍ୱ ନିର୍ବାହ କରନ୍ତୁ।