ସବୁ ମାମଲାରେ କୋର୍ଟ ଆସନି: ଜଷ୍ଟିସ ରମନା

ନୂଆଦିଲ୍ଲୀ,ଏଜେନ୍ସି: ସବୁ ମାମଲାରେ ଅଦାଲତକୁ ଆସିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନା କହିଛନ୍ତି। କେଣସି ସମସ୍ୟାର ସମାଧାନ ପାଇଁ ଅଦାଲତକୁ ଶେଷ ଅସ୍ତ୍ରଭାବେ ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଶନିବାର ହାଇଦ୍ରାବାଦଠାରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଜଷ୍ଟିସ ରମନା କହିଛନ୍ତି ଯେ ପ୍ରତ୍ୟେକ ଲୋକ ଏହି ପ୍ରସଙ୍ଗରେ ‘ମହାଭାରତ’କୁ ଅନୁସରଣ କରିବା ଉଚିତ।

କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଭଗବାନ ଶ୍ରୀକୃଷ୍ଣ ସର୍ବଦା ଉଦ୍ୟମ କରୁଥିଲେ। ନିଜର ୪୦ ବର୍ଷର ଆଇନ ପେସାର ଅଭିଜ୍ଞତାକୁ ଆଧାର କରି ଜଷ୍ଟିସ ରମନା ଆହୁରି କହିଛନ୍ତି ଯେ ଅଦାଲତକୁ ଆସିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ବିକଳ୍ପ ରାସ୍ତା ଖୋଜିବା ଉଚିତ। ଯଦି କୌଣସି ବ୍ୟକ୍ତି ସଠିକ୍ ମାନସିକତା ଅବଲମ୍ବନ କରିବେ, ତାହାହେଲେ ସବୁ ସମସ୍ୟାର ଆପୋଷ ସମାଧାନ ହୋଇପାରିବ। ଅପରପକ୍ଷରେ ଯଦି ଥରେ ମାମଲା ଅଦାଲତରେ ପହଞ୍ଚିବ, ତାହାହେଲେ ଏହା କ୍ରମଶଃ ଜଟିଳ ହୋଇଚାଲିବ ବୋଲି ସେ କହିଛନ୍ତି।