ସ୍କୁଲରେ ଛାତ୍ର ବନ୍ଦୀ ଘଟଣା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଅଭିଯୋଗ

ଭୁବନେଶ୍ବର,ଏନ୍ଏନ୍ଏସ୍: ଘାଟିକିଆ ଏପିଜେ ସ୍କୁଲରେ ପିଲା ୫ ଘଣ୍ଟା ବନ୍ଦୀ ରହିବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକଳାପ ଶିଶୁ ସୁରକ୍ଷା ଅଧିକାର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ସର୍ବଭାରତୀୟ ଅଭିଭାବକ ସଂଘ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିକଟରେ ପହଞ୍ଚିଛନ୍ତି । ଅଭିଭାବକ ସଙ୍ଘ ପକ୍ଷରୁ ରାଜ୍ୟ ସଭାପତି ପ୍ରଦୀପ୍ତ ନାୟକ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହି ଘଟଣାରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ସୂରୁପ ସ୍କୁଲର ଅନୁବନ୍ଧନକୁ ବରଖାସ୍ତ କରିବାକୁ ସେମାନେ ଦାବି କରିଛନ୍ତି ।

ଏହି ଛାତ୍ର ବନ୍ଦୀ ଘଟଣାରେ ବୁଧବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛି । ତୁରନ୍ତ ଏହାର ତଦନ୍ତ କରି ଗଣଶିକ୍ଷା ବିଭାଗକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ସ୍କୁଲ ଫି ପ୍ରଦାନ ନ କରିବା କାରଣରୁ ଭୁବନେଶ୍ବର ସ୍ଥିତ ଘାଟିକିଆ ଅଞ୍ଚଳରେ ଥିବା ଏପିଜେ ଇଂରାଜୀ ମଧ୍ୟମ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରାୟ 5 ଘଣ୍ଟା ଧରି କିଛି ପିଲାଙ୍କୁ ଅଟକ ରଖିଥିଲେ । ଘରୋଇ ସ୍କୁଲର ଏପରି କାର୍ଯ୍ୟକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ସେମାନେ ଏହାକୁ ନିନ୍ଦା କରି ସ୍କୁଲ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ ।