କରୋନା ଆଣିଦେଲା ସୁଯୋଗ: ଇ-କମର୍ସର ବଢୁଛି ଚାହିଦା

ଭୁବନେଶ୍ୱର,୨୪ା୬,ଏନ୍ଏନ୍ଏସ୍: କରୋନା ପାଇଁ ଦେଶରେ ଇ-କମର୍ସର ଚାହିଦା ବଢିଛି। ଆମାଜନ୍, ଫ୍ଲିପ୍କାଟ୍, ମିନ୍ଟ୍ରା ଭଳି ଆହୁରି ନୂଆନୂଆ ସପିଂ ୱେବ୍ସାଇଟ୍ ସବୁ ଗଢ଼ିଉଠିଛି। ଲକ୍ଡାଉନ ସମୟରେ ଦୋକାନବଜାର ବନ୍ଦ ରହୁଛି। ତେଣୁ ଲୋକେ ଅନ୍ଲାଇନ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। କରୋନା ସଂକ୍ରମଣ ଭୟାବହତାକୁ ଦେଖି ଗ୍ରୋସରି ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅନ୍ଲାଇନ୍ରେ ଏବେ ମିଳୁଛି।

କରୋନା ପରେ ପ୍ରାୟ ୬୪ପ୍ରତିଶତ ପୁରୁଣା ବ୍ୟବସାୟୀକ ସଂସ୍ଥା ଅନ୍ଲାଇନ୍ରେ ଗ୍ରୋସରି ସାମଗ୍ରୀ ବିକ୍ରି କରିବା ଆରମ୍ଭ କରିଛନ୍ତି। ଏହାସହ ୨୦ପ୍ରତିଶତ ସଂସ୍ଥା ନୂଆକରି ଅନ୍ଲାଇନ୍ରେ ବ୍ୟବସାୟ ଆରମ୍ଭ କରିଥିବା ‘ଗ୍ରୋଫର’ ନାମକ ଏକ ସପିଂ ସଂସ୍ଥା ସର୍ଭେରୁ ଜଣାପଡ଼ିଛି। ତେବେ କରୋନା ପରେ ମାସ୍କ, ସାନିଟାଇଜର, ‘ୱାର୍କ ଫ୍ରମ୍ ହୋମ୍’ରେ ବ୍ୟବହୃତ ଜିନିଷର ଚାହିଦା ବଢ଼ିଥିବା ଫ୍ଲିପ୍କାର୍ଟ, ଆମାଜାନ ଭଳି ବଡ଼ବଡ଼ ସଂସ୍ଥା ସବୁ ମତ ରଖିଛନ୍ତି।

ସୂଚନା ଅନୁଯାୟୀ, କରୋନା ଭୂତାଣୁ ଆସିବା ପରେ ମାସ୍କ ଓ ସାନିଟାଇଜର୍ର ଚାହିବା ବଢ଼ିଛି। ସେହିପରି ଲକ୍ଡାଉନ୍ ହେବାରୁ ଘରେ ରହି ଅଫିସ୍ କାମ କରିବାକୁ ପଡୁଛି। ‘ୱାର୍କ୍ ଫ୍ରମ୍ ହୋମ୍’ କରିବା ପାଇଁ ଲୋକଙ୍କୁ ବିଭିନ୍ନ ସରଞ୍ଜାମ ଆବଶ୍ୟକ ହେଉଛି। ଲାପଟପ୍, ବିଦ୍ୟୁତ୍ ବୋର୍ଡ, ଟାବ୍ଲେଟ୍, ହେଡ୍ଫୋନ୍ ଭଳି ଜିନିଷର ଦରକାର ପଡୁଛି। ତେଣୁ ଅନ୍ଲାଇନ୍ରେ ଏହାର ବିକ୍ରି ବଢ଼ିଥିବା ‘ଆମାଜନ୍’ ମୁଖପାତ୍ର ସୂଚନା ଦେଇଛନ୍ତି।

୨୦୨୦ରେ ସବୁଠୁ ଅଧିକ ଲାପଟପ୍ ବିକ୍ରି ହୋଇଥିବା ଫ୍ଲିପ୍କାର୍ଟ ପକ୍ଷରୁ କୁହାଯାଇଛି। ଫ୍ଲିପ୍କାଟ୍ ଆହୁରି କହିଛି ଯେ, ୨୦୨୦ରେ ଲକ୍ଡାଉନ୍ରେ ୨ମାସ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରିବା ପାଇଁ ଅନୁମତି ମିଳିଥିଲା। ଏହାଦ୍ୱାରା କମ୍ପାନୀକୁ ବହୁତ୍ କ୍ଷତି ସହିବାକୁ ପଡ଼ିଛି। ଅନେକ କର୍ମଚାରୀଙ୍କୁ ଚାକିରୀରୁ ମଧ୍ୟ କାଢ଼ି ଦିଆଯାଇଥିଲା। ପରେ ସମସ୍ତ ସାମଗ୍ରୀ ବିକ୍ରି କରିବାକୁ ଅନୁମତି ମିଳିବା ପରେ ବ୍ୟବସାୟରେ ସୁଧାର ଆସିଛି। ଅନ୍ୟପକ୍ଷରେ କରୋନା ବିଭିନ୍ନ ଅଞ୍ଚଳର ବ୍ୟବସାୟୀଙ୍କୁ ଅନ୍ଲାଇନ୍କୁ ଟାଣିଦେଇଛି। ସେ ଗ୍ରୋସରି ଦୋକାନ ହେଉ କିମ୍ବା ଖାଦ୍ୟ ସାମଗ୍ରୀ। ସମସ୍ତେ ଏବେ ଅନ୍ଲାଇନରେ ନିଜର ବ୍ୟବସାୟ କରୁଛନ୍ତି।