କେନ୍ଦ୍ରାଞ୍ଚଳ ଡିଆଇଜି ହେଲେ ଜେଏନ୍ ପଙ୍କଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୦୫ ବ୍ୟାଚ୍ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜଙ୍କୁ କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ।

ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏସଟିଏଫ ଡିଆଇଜି ଶ୍ରୀ ପଙ୍କଜଙ୍କୁ ଅତିରିକ୍ତ ଭାବେ କେନ୍ଦ୍ରାଞ୍ଚଳ ଡିଆଇଜି ରୂପେ କାର୍ଯ୍ୟ କରିବାକୁ କୁହାଯାଇଛି।

ଶୁକ୍ରବାର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କୁ ଅଚାନକ ଅବକାରୀ କମିସନର ଭାବେ ବଦଳି କରାଯାଇଥିଲା। ଶ୍ରୀ ସିଂଙ୍କ ସ୍ଥାନରେ ସ୍ଥାୟୀ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଶ୍ରୀ ପଙ୍କଜଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଶ୍ରୀ ସିଂଙ୍କୁ ଅବକାରୀ କମିସନର ଭାବେ ଅବସ୍ଥାପିତ କରି ସେଠାରେ ଥିବା ଆଇଏଏସ୍ ଅଞ୍ଜନ କୁମାର ମାନିକଙ୍କୁ ହଟାଇ ଦିଆଯାଇଛି। ଅଞ୍ଜନ କୁମାର ମାନିକ ଅବକାରୀ କମିସନର ସହ ଆଇଜି (ରେଜିଷ୍ଟ୍ରେସନ) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଏବେ ସେ କେବଳ ଆଇଜି (ରେଜିଷ୍ଟ୍ରେସନ) ଭାବେ କାର୍ଯ୍ୟ କରିବେ।