ପ୍ରେମିକ ରାଜା ହିଁ ନିହାରିକାର ହତ୍ୟାକାରୀ

କଟକ,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ରର ମୃତ୍ୟୁ ରହସ୍ୟ ଆଜି ଭିନ୍ନ ମୋଡ଼ ନେଇଛି। ନିହାରିକାକୁ ଅନ୍ୟ କେଉଁଠାରେ ନୁହେଁ କଟକ ସହର ଭିତରେ ହତ୍ୟା କରାଯାଇଛି ବୋଲି ପୁଲସ ମୁଖ୍ୟାଳୟରୁ ସୂଚନା ମିଳିଛି। ପୁଲିସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନିଜ ପ୍ରେମିକା ନିହାରିକାକୁ ତଣ୍ଟିଚିପି ହତ୍ୟା କରିଛି ପ୍ରେମିକ ରାଜା। ନିଜ ସାଙ୍ଗର କଟକସ୍ଥିତ ଭଡ଼ାଘରେ ହତ୍ୟା କରିଥିବା ସ୍ୱୀକାର କରିଛି । ନିହାରିକାଙ୍କୁ ନର୍ସିହୋମରୁ ସାଙ୍ଗରେ ଆଣିବା ପରେ ଦୁହିଁଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା, ଯାହା ଫଳରେ ରାଜା ଉତକ୍ଷିପ୍ତ ହୋଇ ନିହାରିକାଙ୍କ ତଣ୍ଟିଚିପି ଦେଇଥିବା ସ୍ୱୀକାର କରିଛି।

ସୂଚନା ଅନୁଯାୟୀ କଟକର ଏକ ନର୍ସିଂ ହୋମରେ କାମ କରୁଥିବା ଖୋର୍ଦ୍ଧା ଜିଲ୍ଲା ହିଙ୍ଗାରପୁରଅଞ୍ଚଳର ନିହାରିକା ପାତ୍ର ଗତ ୮ତାରିଖରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ସେ କାମ କରୁଥିବା ନର୍ସିଂ ହୋମର ସିସିଟିଭି ଫୁଟେଜ ଅନୁଯାୟୀ ସେହିଦିନ ଅପରାହ୍ଣରେ ତାଙ୍କ ପୁରୁଷ ବନ୍ଧୁ କିଶୋର ଅଞ୍ଚଲ ଓରଫ ରାଜାଙ୍କ ସହିତ ବାଇକ୍ରେଯାଇଥିଲେ ହେଁ ଫେରିନଥିଲେ। ଝିଅକୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନପାଇବାରୁ ପିରବାର ପକ୍ଷରୁ ମଧୁପାଟଣା  ଥାନାରେ ଅଭିଯୋଗ ହୋଇଥିଲା। ଏମିତିକି ରାଜାକୁ ଫୋନ କରିବାରେ ନିହାରିକାଙ୍କ ସମ୍ପର୍କରେ ସନ୍ତୋଷ ଜନକ ଉତ୍ତର ମିଳିପାରିନଥିଲା।

ଅପରପକ୍ଷେ ଗତ ମଙ୍ଗଳବାର ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ନିହାରିକାଙ୍କ ମୃତଦେହ ଏକ ବସ୍ତା ଭିତରୁ ଗଳିତ ଅବସ୍ଥାରେ ଉଦ୍ଧାର କରଯାଇଥିଲା। ନିହାରିକାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ଏହି ଘଟଣାରେ ନିହାରିକାଙ୍କ ପରିବାର ଲୋକେ ରାଜାଙ୍କ ସମ୍ପୃକ୍ତିକୁ ନେଇଅଭିଯୋଗ କରିଥିଲେ। ସେହିଭଳି ଗତକାଲି ଅଭିଯୁକ୍ତ ରାଜା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ପୁଲିସ ତାକୁ ଏକ ଗୁପ୍ତ ସ୍ଥାନରେ ରଖି ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପଚରାଉଚୁରା କରୁଛି। ଏହି ହତ୍ୟାକାଣ୍ଡ ପଛରେ କେବଳ ରାଜା କିମ୍ବା ଅନ୍ୟସହୋଯୋଗୀମାନେ ସମ୍ପୃକ୍ତ ଅଛନ୍ତି, ପୁଲିସ ସେନେଇ ତଦନ୍ତ ଜାରି ରଖିଛି।