ସିବିଏସଇର ୪ଜଣିଆ କମିଟି ପ୍ରତି ୪ମାସରେ ଘରୋଇ ସ୍କୁଲର ସ୍ଥିତି ଅନୁଧ୍ୟାନ କରିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଘରୋଇ ସ୍କୁଲ ପ୍ରତି ସିବିଏସଇ କଡ଼ା ନଜର ଦେବ। ବିଶେଷକରି ଏହି ସ୍କୁଲଗୁଡିକରେ ଗୁଣାତ୍ମକ ଶିକ୍ଷା ଓ ଶୈଖିକ ପରିବେଷ ଯେପରି ସଠିକ ଭାବେ ରହିବ ସେ ଦିଗରେ ନିଆଯିବ କଡା ଆଭିମୁଖ୍ୟ। ଏଣିକି ପ୍ରତି ୪ମାସରେ ଥରେ ସିବିଏସଇର ଏକ ୪ଜଣିଆ କମିଟି ଘରୋଇ ସ୍କୁଲ ପରିଦର୍ଶନ କରି ବ୍ୟବସ୍ଥାର ଯାଞ୍ଚ କରିବେ ବୋଲି ଜଣାପଡିଛି। ତେବେ ଏପରି ବ୍ୟବସ୍ଥାକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି। ପ୍ରକାଶଥାଉକି, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ପାଖକୁ ଘରୋଇ ସ୍କୁଲଗୁଡ଼ିକର ପରିଚାଳନା ସମ୍ପର୍କରେ ଅନେକ ଅଭିଯୋଗ ଆସୁଛି । ଏଥିମଧ୍ୟରୁ ଏକ ମୁଖ୍ୟ ଅଭିଯୋଗ ହେଉଛି ଘରୋଇ ସ୍କୁଲରେ ନିୟୋଜିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପାଠପଢ଼ାଇବା ଦ୍ୱାୟିତ୍ୱ ବ୍ୟତୀତ ସ୍କୁଲର ଅନ୍ୟାନ୍ୟ କାମ ବି କରିବାକୁ ବାଧ୍ୟ କରାଯାଉଛି। ଏନେଇ ବୋର୍ଡ ପାଖକୁ ଅନେକ ଅଭିଯୋଗ ଆସିବାପରେ ଖୁବ୍ ଶୀଘ୍ର ଦେଶର ପ୍ରାୟ ୧୬ହଜାର ସିବିଏସଇ ମାନ୍ୟତାପ୍ରାପ୍ତ ଘରୋଇ ସ୍କୁଲଗୁଡ଼ିକୁ ନୋଟିସ୍ ଜାରି କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ସିବିଏସଇର ଗାଇଡଲାଇନରେ କଡ଼ାକଡ଼ି ଭାବେ ଉଲ୍ଲେଖ କରାଯାଇଛି ଯେ, ବିଦ୍ୟାଳୟରେ ପାଠପଢ଼ାଇବା ଏବଂ ଅନ୍ୟାନ୍ୟ କାମ କରିବାପାଇଁ ଭିନ୍ନ କର୍ମଚାରୀଙ୍କୁ ନିୟୋଜିତ କରିବା ଦରକାର। କୌଣସି ମତରେ ଶିକ୍ଷକମାନଙ୍କୁ ନନ୍ ଏକାଡେମିକ୍ କାମରେ ନିୟୋଜିତ କରାଇପାରିବେନି ସ୍କୁଲ କର୍ତ୍ତୃପକ୍ଷ। ମାତ୍ର ବହୁ ଘରୋଇ ସ୍କୁଲରେ କର୍ମଚାରୀ ଅଭାବ ଦର୍ଶାଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ପାଠପଢ଼ାଇବା ସହିତ ସ୍କୁଲର ଅନ୍ୟାନ୍ୟ କାମ ଯେପରିକି ସ୍କୁଲ ଫି ଆଦାୟ, ବସ୍ ପରିଚାଳନା, ବିଦ୍ୟାଳୟ ପରିସରର ରକ୍ଷଣାବେକ୍ଷଣ ଇତ୍ୟାଦି ମଧ୍ୟ କରୁଥିବା ଅଭିଯୋଗ ଆସିଥିଲା । ଏହାଯୋଗୁ ସେମାନେ ଅଯଥା ଚାପରେ ରହୁଛନ୍ତି। ଘରୋଇ ସ୍କୁଲର ଶିକ୍ଷକମାନେ ଚାକିରି ଚାଲିଯିବା ଭୟରେ ଏହା ବିରୋଧରେ ମୁହଁ ଖୋଲୁନାହାନ୍ତି। ମାତ୍ର ସିବିଏସଇ ପାଖକୁ ଏସମ୍ପର୍କରେ ବିଭିନ୍ନ ମହଲରୁ ଅଭିଯୋଗ ଆସିବାପରେ ବୋର୍ଡ କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର ଦେଶର ସମସ୍ତ ଘରୋଇ ସ୍କୁଲକୁ କଡ଼ା ନିର୍ଦ୍ଦେଶନାମା ଜାରି କରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।