ମଣିପୁର ହିଂସାକାଣ୍ଡ ମାମଲାରେ ୬ଟି ମାମଲା ରୁଜୁ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ

ଇମ୍ଫାଲ: ମଣିପୁର ହିଂସାକାଣ୍ଡ ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏକ ଏସଆଇଟି ଟିମ ଗଠନ କରିଛି । ଏହାସହିତ ଘଟଣାରେ ୬ଟି ମାମଲା ରୁଜୁ ହୋଇଥିବା ନେଇ ସିବିଆଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୬ଟି ମାମଲା ମଧ୍ୟରୁ ୫ଟି ଅପରାଧିକ ଷଡ଼ଯନ୍ତ୍ର ଲାଗି ରୁଜୁ ହୋଇଛି । ଗତ ମେ’ ୨୯ ତାରିଖରେ ମଣିପୁର ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାମଲାର ସିବିଆଇ ତଦନ୍ତ ନେଇ କହିଥିବା ବେଳେ ଶାନ୍ତି ବଜାୟ ରଖିବା ଲାଗି ରାଜ୍ୟବାସୀଙ୍କୁ ଅପିଲ କରିଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀ କୁକି ଓ ମୈଇତି ସମ୍ପ୍ରଦାୟର ଲୋକଙ୍କ ସହିତ ପୃଥକ ପୃଥକ ଭାବେ ବୈଠକ କରିଥିଲେ । ନିଜ ପାଖରେ ଥିବା ମାରଣାସ୍ତ୍ରକୁ ପୋଲିସ ନିକଟରେ ହସ୍ତାନ୍ତର କରାଇବା ସହିତ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ । ଏହାପରେ ରାଜ୍ୟରେ କିଛି ଦିନ ଧରି ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ଶୁକ୍ରବାର ହିଂସାକାଣ୍ଡ ଘଟିଛି । ଏଥିରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହାସହିତ ୨ଜଣ ଆହତ ମଧ୍ୟ ହୋଇଛନ୍ତି । ଇମ୍ଫାଲ ୱେଷ୍ଟ ଜିଲ୍ଲା ଓ କଙ୍ଗପୋକପି ଅଞ୍ଚଳରେ ଘଟିଛି ଏହି ହିଂସାକାଣ୍ଡ । ମୈଇତି ସମ୍ପ୍ରଦାୟ ପକ୍ଷରୁ ଏହି ହିଂସାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।