ବରମୁଣ୍ଡାରେ ହୁତୁହୁତୁ ହୋଇ ଜଳିଲା ବସ୍

ଭୁବନେଶ୍ୱର,୨୮ା୮/ଏନ୍ଏନ୍ଏସ୍: ବରମୁଣ୍ଡା ବସଷ୍ଟାଣ୍ଡରେ ଠିଆ ହୋଇଥିବା ଚକାଡୋଳା ନାମକ ଏକ ବସରେ ଅଚାନକ୍ ନିଆଁ ଲାଗି ଯାଇଛି । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସଟସର୍କିଟରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତିି ।

ସୂଚନା ଅନୁସାରେ, ଦିନ ପ୍ରାୟ ୨ଟା ସମୟରେ ବରମୁଣ୍ଡା ବସଷ୍ଟାଣ୍ଡରେ ଚକାଡୋଳା ନାମକ ଏକ ଘରୋଇ ବସ ଛିଡ଼ା ହୋଇଥିଲା । ତେବେ ଅଚାନକ୍ ଗାଡିରୁ ଧୂଆଁ ବାହାରୁଥିବା ଲୋକେ ଦେଖିବାକୁ ପାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଅଚାନକ୍ ବସଟି ଜଳିବାକୁ ଲାଗିଥିଲା । ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ଆଖି ଆଗରେ ହୁତୁହୁତୁ ହୋଇ ବସଟି ଜଳିଯାଇଥିଲା । ଫଳରେ ପାଖରେ ଥିବା ଲୋକେ ଆତଙ୍କିତ ହୋଇପଡିଥିଲେ ।