କାଲିଠୁ ଆରମ୍ଭ ହେବ ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନ, କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା କାଲି ଠାରୁ ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନ ବସିବାକୁ ଯାଉଛି। ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।

ବିଶେଷ ଭାବରେ ବିଧାନସଭା ସମ୍ମୁଖରେ ରାସ୍ତା ବନ୍ଦ କରାଯାଇ ଆଇଜି ପାର୍କ ଦେଇ ଟର୍ଣ୍ଣ କରାଯାଇଛି। ଏହା ସହିତ ଭିତରପଟ ରାସ୍ତାରେ କିଭଳି ଭାବରେ ଟ୍ରାଫିକ୍ ଜାବ୍ ନହେବ ସେଥି ପାଇଁ ପ୍ରତି ୨୦୦ ମିଟରରେ ଜଣେ ଲେଖାଏଁ ଟ୍ରାଫିକ୍ ପୁଲିସଙ୍କୁ ନିୟୋଜିତ କରାଯାଇଛି।

ଏହା ସହିତ ପୁରା ଧାରଣାସ୍ଥଳରେ ୩୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥିତି ଉପରେ ୧୦୦ରୁ ଊର୍ଦ୍ଧ୍ୱ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ପୁରା ସୁରକ୍ଷା ବ୍ୟବସ୍ଥା ନେଇ ଗତକାଲି ପୋଲିସ୍ ଡିଜି ସମୀକ୍ଷା ମଧ୍ୟ କରିଛନ୍ତି।

ଏହା ସହିତ କୌଣସି ମଧ୍ୟ ବିଶୃଙ୍ଖଳା ଜନିତ ସ୍ଥିତି ଏଡାଇବା ପାଇଁ ବିଧାନସଭା ଓ ଧାରଣାସ୍ଥଳରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କଣ୍ଟ୍ରୋଲ ରୁମରୁ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ।

ଏହାସହିତ ଧାରଣାସ୍ଥଳରେ ତିନି ଥାକିଆ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି। ଆନ୍ଦୋଳନକାରୀ ଯେମିତି ସୁରକ୍ଷା ବଳୟକୁ ଭେଦ କରି ନ ପାରନ୍ତି ତାହା ଉପରେ ବିଶେଷ ନଜର ରଖାଯିବ। ଆତ୍ମାହୁତି ଦେବାକୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସାଦା ପୋଷାକଧାରୀ ପୁଲିସ ନଜର ରଖିବେ ବୋଲି ସୂଚନା ରହିଛି।