ରାଜ୍ୟପାଳଙ୍କ ଅଭିଭାଷଣରେ ଆରମ୍ଭ ହେଲା ବଜେଟ ଅଧିବେଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରେ ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ରାଜ୍ୟପାଳ ଶ୍ରୀ ଲାଲ ନିଜ ଅଭିଭାଷଣରେ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସନୀୟ ବୋଲି କହିଛନ୍ତି। ଏହାବ୍ୟତୀତ ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ। ଏହି ଅବସରରେ ଦିବଂଗତ ପୂର୍ବତନ ସଦସ୍ୟ, ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଏଥିସହ ରାଜ୍ୟପାଳ କହିଛନ୍ତି, କରୋନା ମହାମାରୀ ସତ୍ତ୍ୱେ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହୋଇନି। ଶିକ୍ଷା ସଂଯୋଗ, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ପଦ୍ଧତି ଅବଲମ୍ବନ କରାଯାଇଥିବା କହିଛନ୍ତି। ସରକାର ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତି ବଦ୍ଧ। ଷ୍ଟାର୍ଟ୍-ଅପ୍‌ ଉନ୍ନତି ପାଇଁ ଷ୍ଟାର୍ଟ୍-ଅପ୍ ଓଡ଼ିଶା ଉପକ୍ରମ ଆରମ୍ଭ ଓ ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ୫୨ କୋଟି ଟଙ୍କା ଯୋଗାଯାଇଛି, ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ ଓ ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ରାଜ୍ୟପାଳ କହିଛନ୍ତି।

ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ତେବେ ଅଧିବେଶନ ଆରମ୍ଭରୁ ହିଁ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା କରି କକ୍ଷ ତ୍ୟାଗ କରିଥିଲେ। ଆସନ୍ତା ୨୨ରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ।