୩ ଆକ୍ରାନ୍ତ ଚିହ୍ନଟ ପରେ ବମିଖାଲ ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଗତକାଲି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଜି ବିଏମସି ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରିବା ସହ ପୂରା ବମିଖାଲକୁ ସିଲ୍ କରାଯାଇଛି। ଝାରପଡ଼ା କେନାଲ ରୋଡ୍ ସିଲ, ଝାରପଡ଼ା କେନାଲ ରୋଡଠୁ ଝାରପଡ଼ା ଦୁର୍ଗାମଣ୍ଡପ ସିଲ୍, ଝାରପଡ଼ା ଦୁର୍ଗାମଣ୍ଡପଠୁ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାର ସିଲ୍ ହୋଇଥିବାବେଳେ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାରଠୁ ଏକାମ୍ର ହଲ ଯାଏଁ ସିଲ କରିଛି ବିଏମସି ।

ଏହାପୂର୍ବରୁ ଷଷ୍ଠ କରୋନା ରୋଗୀ ଚିହ୍ନଟ ହେବା ପରେ ସୂର୍ଯ୍ୟନଗର ଅଞ୍ଚଳକୁ ପୂରା ସିଲ କରାଯାଇଥିଲା । ତେବେ ସିଲ ଥିବା ବମିଖାଲ ଅଞ୍ଚଳରେ ଥିବା ସବୁ କାର୍ଯ୍ୟାଳୟ, ଦୋକାନ ବନ୍ଦ ରହିବ । କୌଣସି ଲୋକ ବାହାରକୁ ବାହାରି ପାରିବେ ନାହିଁ ।ସମସ୍ତଙ୍କୁ ଘର ଭିତରେ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଚି ।  କିନ୍ତୁ ଏହି ଅଞ୍ଚଳକୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯିବାକୁ ବ୍ୟବସ୍ଥା କରାଯାଇଛି ।