ଦ୍ୱିତୀୟ ଦିନରେ ବଲିଉଡ ହସ୍ତିଙ୍କ ଘରେ ଆୟକର ବିଭାଗର ରେଡ୍

ମୁମ୍ବାଇ: ମୁମ୍ବାଇରେ ବଲିଉଡ ହସ୍ତିଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ବି ଆୟକର ବିଭାଗ ଦ୍ୱାରା ରେଡ୍ ଜାରି ରହିଛି। ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ବିକାଶ ବହଲ, ବିକ୍ରମାଦିତ୍ୟ ମୋଟବାନୀ ଓ ମଧୁ ମୋଟବାନୀଙ୍କ ଘରେ ଓ ଅଫିସରେ ରେଡ୍ ଚାଲିଛି। କ୍ୱାନ ଟେଲେଣ୍ଟ କମ୍ପାନୀ ଅଫିସରେ ଗତ ୨୪ ଘଣ୍ଟା ହେବ ରେଡ ଜାରି ରହିଥିବା ଜଣାପଡ଼ିଛି। ଏହି ମାମଲାରେ ଗତକାଲି ଆୟକର ଅଧିକାରୀ ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କୁ ପୁଣେରେ ପଚରାଉଚୁରା ମଧ୍ୟ କରିଥିଲେ।

ସୂଚନାଯୋଗ୍ୟ, ଉକ୍ତ ମାମଲାରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଅନୁରାଗ କଶ୍ୟପ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି ଓ ମୋଦୀ ସରକାରଙ୍କ ନୀତିକୁ ଅନେକ ସମୟରେ ବିରୋଧ କରିଥାନ୍ତି। ସେଥିପାଇଁ ବିଜେପି ବିରୋଧୀ ଆୟକର ବିଭାଗର ଏହି ଆକ୍ସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ କହିଛନ୍ତି କି, ବିଜେପି ସରକାର ଏହି ହସ୍ତିଙ୍କଠୁ ପ୍ରତିଶୋଧ ନେଉଛି।