ଜାଭିୟର ହଷ୍ଟେଲରୁ ୩୦ ପଜିଟିଭ୍ ଚିହ୍ନଟ, କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କଲା ବିଏମସି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ମହାନଗର ନିଗମରେ ବେକାବୁ ହେଉଛି କରୋନା ସଂକ୍ରମଣ । ଫଳରେ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଉଛି । ଉତ୍ତର ଜୋନର ୱାର୍ଡ ନଂ ୧୬ ଅନ୍ତର୍ଗତ ଜାଭିୟର ଇନଷ୍ଟିଚ୍ୟୁଟ୍‌ରେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ବିଏମ୍‌ସିର ମୁଣ୍ଡବିନ୍ଧା ପାଲଟିଛି । ଏଠାରୁ ଏକ ସଙ୍ଗେ ୩୦ ଛାତ୍ରୀଛାତ୍ର ପଜିଟିଭ୍ ବାହାରିଛନ୍ତି । ଫଳରେ ଇନ୍‌ଷ୍ଟିଚ୍ୟୁଟର ହଷ୍ଟେଲ ଷ୍ଟୁଡିଓ ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ସମୟରେ ହଷ୍ଟେଲ ଛାତ୍ରୀଛାତ୍ର ବାହାରକୁ ବାହାରି ପାରିବେନି ।

ବିଏମ୍‌ସି ପକ୍ଷରୁ ସେମାଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯିବ । ଏଥିସହ କଲେଜ କ୍ୟାମ୍ପସ ପରିସରରେ ଥିବା ଅନ୍ୟ ସମସ୍ତ ହଷ୍ଟେଲ ଛାତ୍ରୀଛାତ୍ରଙ୍କର ଆରଟିପିସିଆର୍ ଟେଷ୍ଟ କରାଯିବ ବୋଲି ସୂଚନା ଦିଆଯାଇଛି । ଶନିବାର ମହାନଗର ନିଗମର ୩ଟି ଜୋନ୍‌ରୁ ୨୧ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।