ୟୁପି ନିର୍ବାଚନ ପାଇଁ ବିଜେପି ଜାରି କଲା ଘୋଷଣା ପତ୍ର

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ‘ଲୋକ କଲ୍ୟାଣ ସଙ୍କଳ୍ପ ପତ୍ର’ ଜାରି କରିଛି । ଏହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର ଓ୨ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଘୋଷଣା ପତ୍ର ସହ ‘କରକେ ଦିଖାୟା ହେ’ ନାମକ ଏକ ନୂଆ ନିର୍ବାଚନ ଗୀତ ଲଞ୍ଚ କରାଯାଇଛି ।

ବିଜେପିର ଘୋଷଣା ପତ୍ର ଅନୁସାରେ, ପ୍ରତ୍ୟେକ ପରିବାରର ଜଣଙ୍କୁ ନିଶ୍ଚିତ ଚାକିରି ମିଳିବ । ୫ ବର୍ଷ ପର୍ଯ୍ୟନ୍ତ ସବୁ କୃଷକଙ୍କୁ ମାଗଣାରେ ବିଜୁଳି ମିଳିବ । ଆଖୁ ଚାଷୀଙ୍କୁ ୧୪ ଦିନ ମଧ୍ୟରେ ଟଙ୍କା ମିଳିବ ଏବଂ ବିଳମ୍ବ ହେଲେ ସୁଧ ମିଳିବ । ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ହୋଲି ଓ ଦୀପାବଳୀରେ ଗୋଟିଏ ଲେଖାଏଁ ସିଲିଣ୍ଡର ମାଗଣାରେ ମିଳିବ । ୬୦ ବର୍ଷରୁ ଅଧିକ ମହିଳା ମାଗଣାରେ ଯାତ୍ରା କରିପାରିବେ । ପ୍ରତ୍ୟେକ ବିଧାବା ଓ ନିରାଶ୍ରୟ ମହିଳାଙ୍କୁ ପ୍ରତି ମାସ ୧୫୦୦ ଟଙ୍କା ପେନସନ ମିଳିବ । ୬ଟି ମେଗା ଫୁଡ ପାର୍କ ନିର୍ମାଣ କରାଯିବ । ଏମବିବିଏସ ଓ ଏମବିଏ ସିଟକୁ ୨ ଗୁଣା କରାଯିବ । ଲଭ ଜିହାଦ ରୋକିବା ପାଇଁ ୧୦ ବର୍ଷ ସଜା ଓ ୧ ଲକ୍ଷ ଟଙ୍କା ଜୋରିମାନା ପ୍ରାବଧାନ କରାଯିବ । ମା’ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ ବନାଇ ଗରିବଙ୍କୁ ଶସ୍ତା ଖାଦ୍ୟ ପ୍ରଦାନ କରାଯିବ । କଲେଜ ଯାଉଥିବା ମେଧାବୀ ଛାତ୍ରୀଙ୍କୁ ଆତ୍ମନିର୍ଭର କରିବା ପାଇଁ ଲକ୍ଷ୍ମୀ ବାଈ ଯୋଜନା ଅନ୍ତର୍ଗତ ସ୍କୁଟି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ସୋଲାର ପମ୍ପ ଦିଆଯିବ ବୋଲି ଜଣାପଡ଼ିଛି ।