ବିଦ୍ୟୁତକାଟ ଓ ଦରବୃଦ୍ଧି: ୭ ଦିନିଆ ବିକ୍ଷୋଭ କରିବ ବିଜେପି

  • ଭୁବନେଶ୍ୱର: ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତକାଟ୍ ପ୍ରତିବାଦରେ ଆସନ୍ତାକାଲିଠୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ କରିବାକୁ ବିଜେପି ନିଷ୍ପତ୍ତି ନେଇଛି। କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡ଼ା ସଦୃଶ। ଓଇଆରସିଙ୍କ ବିଦ୍ୟୁତ ଦର ବୃଦ୍ଧି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
    ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଦ୍ୟୁତ ଦରବୃଦ୍ଧିକୁ ହ୍ରାସ କରିବା ସହ ରାଜ୍ୟବାସୀଙ୍କୁ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦାବିରେ ଆସନ୍ତାକାଲିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ବିଜେପି ରାଜ୍ୟବ୍ୟାପୀ ପ୍ରତିବାଦ ଓ ବିକ୍ଷୋଭ କରିବ। ରାଜ୍ୟର ସବୁ ବିଦ୍ୟୁତ ଅଫିସ୍ ଆଗରେ ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ କରିବ। ଲୋକଙ୍କୁ ଭୂଆଁ ବୁଲାଇ ବିଦ୍ୟୁତ କମ୍ପାନୀ ଟାଟା ପାୱାର ମନଇଚ୍ଛା ଲାଇନ୍ କାଟୁଛନ୍ତି। କରୋନା କାଳରେ ଲୋକଙ୍କ ଉପରେ ବିଦ୍ୟୁତ ଦରବୃଦ୍ଧି ଲଦି ଦିଆଯାଇଛି। ୨୦୨୧ ଏପ୍ରିଲ ୪ ତାରିଖରୁ ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନିରୀହ ଜନତାଙ୍କୁ ଶୋଷଣ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
    ସେ କହିଛନ୍ତି ଯେ, ପୂର୍ବରୁ ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦରେ ବିଜେପି ବିଧାନସଭା ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିବା ପରେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଲେ ନାହିଁ। ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଓଡ଼ିଶାକୁ ପ୍ରଦାନ କରାଯାଇଛି। କିନ୍ତୁ ରାଜ୍ୟ ସରକାର ଭିତ୍ତିଭୂମି ସୁଦୃଢ ନକରି ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି।
    ଏହା ସହିତ ରାଜ୍ୟର ୨୬ଟି ବଡ଼ ଶିଳ୍ପ ସଂସ୍ଥା ଓ ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ରହିଥିବା ହଜାର ହଜାର କୋଟି ଟଙ୍କାର ବକେୟା ତୁରନ୍ତ ଆଦାୟ କରିବାକୁ ବିଜେପି ଦାବି କରିଛି। ବାହାର ରାଜ୍ୟକୁ ଯେଉଁ ବିଜୁଳି ଓଡ଼ିଶା ବିକୁଛି ତାହା ୟୁନିଟ ପିଛା ମୂଲ୍ୟ ହାରାହାରି ୩ ଟଙ୍କା ୨୧ ପଇସା ଥିବାବେଳେ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ ପିଛା ହାରାହାରି ମୂଲ୍ୟ ୩ଟଙ୍କା ୮୧ପଇସା ରହିଛି। କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହୋଇଛି ବୋଲି ବିଜେପି କହିଛି। ଏହି ଅବସରରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ମୁଖପାତ୍ର ବିରଞ୍ଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।