ଧାମନଗର ଉପନିର୍ବାଚନ: ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦିବଙ୍ଗତ ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ବିଜେପି । ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ସୂର୍ଯ୍ୟବଂଶୀ ସୂରଜଙ୍କ ନାମରେ ମୋହର ମାରିଛି ।

ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଂଯୋଜକ ଭାବରେ କାର୍ଯ୍ୟ କରୁଥିଲେ ସୂର୍ଯ୍ୟବଂଶୀ ସୂରଜ । ସକ୍ରିୟ ଭାବରେ ରାଜନୀତିରେ ରହି ସେ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି । ବିଷ୍ଣୁସେଠୀଙ୍କ ମୃତ୍ୟୁ ପରେ ତାଙ୍କୁ ହିଁ ଧାମନଗରର ଉତ୍ତରାଧିକାରୀ ଭାବରେ ଦେଖୁଛି ବିଜେପି । ଏହାପୂର୍ବରୁ ବିଷ୍ଣୁ ସେଠୀଙ୍କୁ ନିର୍ବାଚନ ସଞ୍ଚାଳନ କରିବାରେ ସାହାଯ୍ୟ କରୁଥିଲେ ସୂର୍ଯ୍ୟବଂଶୀ ସୂରଜ । ତାସହ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ମଧ୍ୟ ବିଷ୍ଣୁଙ୍କ ସହ ସୂର୍ଯ୍ୟବଂଶୀଙ୍କୁ ଦେଖିବାକୁ ମିଳିଥିଲା ।

ବିଷ୍ଣୁ ସେଠୀଙ୍କ ଦ୍ବାଦଶାହ ପରେ ସୂର୍ଯ୍ୟବଂଶୀ ଲୋକଙ୍କ ସହ ପୁନଃ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଅଣଆନୁଷ୍ଠାନିକ ଭାବରେ ସେ ହିଁ ବିଜେପିର ପ୍ରାର୍ଥୀ ବୋଲି କୁହାଯାଉଥିଲା । ବର୍ତ୍ତମାନ ତାଙ୍କ ନାମରେ ମୋହର ମାରିଛି ବିଜେପି ।

ବିଗତ ବର୍ଷରେ ଯେତେ ବି ଉପନିର୍ବାଚନ ହୋଇଛି ସେଥିରେ ବାଜିମାତ୍‌ କରିଛି ଶାସକ ଦଳ ବିଜେଡି । ତେବେ ବର୍ତ୍ତମାନ ବିଜେଡି ଧାମନଗରରେ ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀ ଦେବାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି । ଅନ୍ୟପଟେ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ଜଣେ ଦକ୍ଷ, ଉଦୀୟମାନ ଯୁବକ ସହ ସେବାପାଇଁ ସମର୍ପିତ ଥିବାରୁ ବିଜେଡି ସୁପ୍ରିମୋ ପାର୍ଥୀ ଘୋଷଣା କରିବାକୁ ସମୟ ନେଉଥିବା ଚର୍ଚ୍ଚା ହେଉଛି ।