ଭିଡିଓ ଦେଖାଇ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବିଜେଡି– କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଳାହାଣ୍ଡି ଗସ୍ତ ପୂର୍ବରୁ ବିଜେଡି ଜାତୀୟ ମୁଖପାତ୍ର ରାଜ୍ୟର ଦୁଇଟି ବହୁଚର୍ଚ୍ଚିତ ଘଟଣା ଉପରେ ଦୁଇଟି ଭିଡିଓ ଗଣମାଧ୍ୟମ ସାମ୍ନାରେ ଦେଖାଇଥିଲେ। ଏହି ଭିଡିଓରେ ବିଜେଡି ନାରୀ ବିରୋଧୀ ନୁହେଁ ବୋଲି କହିବାକୁ ଚେଷ୍ଟା କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ମମିତା ହତ୍ୟା ଘଟଣାକୁ ବାଟବଣା କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବିଜେଡିକୁ ସାଧାରଣ ଜନତା ବିଶ୍ୱାସ କରିବା ସ୍ଥିତିରେ ନାହାନ୍ତି ବୋଲି କଂଗ୍ରେସ କହିଛି।

ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ଯେ ବିଜେଡି ଦୁଇଟି ଭିଡିଓ ଦେଖାଇ ଭ୍ରମିକ କରିବାକୁ ଚେଷ୍ଟା କରୁଛି। ଟିକିରି ଘଟଣା ଉପରେ ଆଧାରିତ ହୋଇଥିବା ପ୍ରଥମ ଭିଡିଓରେ ଷଡ଼ଯନ୍ତ୍ରକାରୀ ନେତ୍ରାନନ୍ଦ ଦଣ୍ଡସେନା ଦଣ୍ଡ ପାଇବା ଘଟଣାକୁ ନେଇ ବିଜେଡି ଡିଣ୍ଡିମ ପିଟୁଛନ୍ତି। ହେଲେ ଉକ୍ତ ଘଟଣାରେ ମୃତ୍ୟୁକାଳୀନ ଜବାନବନ୍ଦୀରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୀଳ ଜିନ୍ ପ୍ୟାଣ୍ଟ ପିନ୍ଧା ଯୁବକକୁ ଏବେ ସୁଦ୍ଧା କ୍ରାଇମ୍ବ୍ରାଞ୍ଚ୍ କିମ୍ବା ସିବିଆଇ ଧରିବାରେ ସଫଳ ହୋଇନାହିଁ। ଏହାବ୍ୟତୀତ ଦ୍ୱିତୀୟ ଭିଡିଓଟିରେ କୁନ୍ଦୁଲି ଘଟଣାରେ ତଦନ୍ତକୁ ନେଇ ବାହାସ୍ଫୋଟ ମାରୁଥିବା ବିଜେଡି କେତେ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେହିପରି ପିପିଲି ଗଣଦୁଷ୍କର୍ମ ଘଟଣାରେ କ୍ରାଇମ ବ୍ରାଞ୍ଚ ତଥ୍ୟ ପ୍ରମାଣ ଯୋଗେଇବାରେ ବିଫଳ ହେଇଥିଲା। ଫଳରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଲା।

ଅନ୍ୟଏକ ଘଟଣାରେ ବ୍ରହ୍ମଗିରି ରେବେଣା ନୂଆଗାଁ ଆୟୁଷ ଡାକ୍ତରାଣୀ ମାଧବିଲତା ମୃତ୍ୟୁ ଘଟଣାରେ ଜିଆରପି ପୁଲିସ୍ ଶବ ବ୍ୟବଚ୍ଛେଦ ପରେ ଯେଉଁ ସ୍ଥାନରେ ମୃତଦେହ ପୋତିଥିଲା, ଯେତେବେଳେ ଦୁଇଦିନ ପରେ ଉଚ୍ଚ ନ୍ୟାୟାଳୟ ଘଟଣାରେ ହସ୍ତକ୍ଷେପ କରି ପରିବାର ପକ୍ଷଙ୍କୁ ଶବ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଲେ। ସେତେବେଳକୁ ଅଚାନକ ପୋତାଯାଇଥିବା ସ୍ଥଳରୁ ଶବ ଗାଏବ ହୋଇଯାଇଥିଲା। ଯାହା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି। ତେଣୁ ଏହି ସବୁ ଘଟଣାକୁ ନେଇ ରାଜ୍ୟବାସୀ ନାରୀ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କୁ ଆଙ୍କୁଳି ନିର୍ଦ୍ଦେଶ କରିଛନ୍ତି। ମମିତା ଘଟଣାରେ ତଦନ୍ତର ସ୍ୱଚ୍ଛତା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।