ଚିଲିକା ବିଧାୟକ ଗାଡ଼ି ମଡ଼ାଇଦେବା ଘଟଣାକୁ ନିନ୍ଦା କଲା ବିଜେଡି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣାକୁ ବିଜେଡି କଡ଼ା ଭାଷାରେ ନିନ୍ଦା କରିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଘଟଣା ଅତ୍ୟନ୍ତ ଲୋମ ହର୍ଷଣକାରୀ ଓ ବୀଭତ୍ସ । ବିଧାୟକଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ବିଜେଡି ନିନ୍ଦା କରୁଛି । ପୁଲିସ ପ୍ରଶାସନ ଦୃଢ଼ତାର ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅତୀତରେ ଏମିତି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ସୂଚନାଯୋଗ୍ୟ, ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ବିଧାୟକ ପ୍ରଶାନ୍ତ ଜଗଦେବ ଯାଉଥିବା ସମୟରେ ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଗାଡ଼ିକୁ ରୋକିବା ବଦଳରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ଫଳରେ ୭ ପୁଲିସ କର୍ମଚାରୀଙ୍କ ସହ ୨୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଡ଼ି ମଡ଼ାଇ ଦେବାରୁ ଚିଲିକା ବିଧାୟକଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକ ମରଣାନ୍ତକ ଆକ୍ରମଣ କରିଥିଲେ । ବିଧାୟକଙ୍କୁ ଗାଡ଼ିରୁ ଘୋଷାଡ଼ି ଆଣି ତଳେ ପକାଇ ପିଟିଥିଲେ । ଲୋକଙ୍କ ଆକ୍ରମଣ ଫଳରେ ବିଧାୟକ ଗୁରୁତର ଅଛନ୍ତି । ଲୋକଙ୍କ ଆକ୍ରମଣ ଯୋଗୁ ତାଙ୍କ ଗାଡ଼ି ମଧ୍ୟ ଚୁରମାର ହୋଇଯାଇଛି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି ।