ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ୨୪ ବର୍ଷରେ ପାଦ ଥାପିଲା ବିଜେଡ଼ି। ଏନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। କୋଭିଡ କଟକଣା ଭିତରେ ଏହି ଦିବସ ପାଳନ ହେଉଛି।

୧୯୯୭ ମସିହା ଡ଼ିସେମ୍ବର ୨୬ ତାରିଖରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଦଳର ନେତୃତ୍ୱ ନେଇଥିଲେ ତାଙ୍କ ପୁତ୍ର ନବୀନ ପଟ୍ଟନାୟକ। କୋଭିଡ ଯୋଗୁଁ ଭିଡିଓ କନ‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଚାରୀଙ୍କୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମରେ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେବେ ନବୀନ। ୩୨ ସାଂଗଠନିକ ଜିଲ୍ଲାରେ ତୃଣମୂଳ ସ୍ତରରୁ ସୁଦୃଢ, ଲୋକାଭିମୁଖୀ ଯୋଜନା ପହଞ୍ଚାଇବା, ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।

କେବଳ ରାଜ୍ୟ ସ୍ତରରେ ନୁହେଁ, ଦଳର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ବ୍ଲକ, ଏନଏସି ସ୍ତରରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ ହେଉଛି।