ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ଅପପ୍ରଚାର ବିରୋଧରେ ସଂଗ୍ରାମ କରନ୍ତୁ, ସତକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ

ଭୁବନେଶ୍ୱର, ଏନ୍ଏନ୍ଏସ୍: ନିଜ ପ୍ରତିଭାର ବିକାଶ ପାଇଁ କଠୋର ପରିଶ୍ରମ କର। ବାପା-ମାଆଙ୍କ ପ୍ରତି ଥିବା ନିଜର ଦାୟିତ୍ୱକୁ ଭୁଲନାହିଁ। ନିଜ ସମାଜ ଓ ପାଠ ପଢିଥିବା ସ୍କୁଲର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟକର। ବିଜୁ ଛାତ୍ର ଜନତାଦଳର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଛାତ୍ରନେତାଙ୍କୁ ଦେଇଛନ୍ତି ଏହି ୩ ଗୁରୁମନ୍ତ୍ର। ନବୀନ କହିଥିଲେ, ଛାତ୍ରଛାତ୍ରୀମାନେ ହେଉଛନ୍ତି ନୂତନ ଯୁଗର ସାରଥୀ। ସଶକ୍ତ ଓଡ଼ିଶା ଗଠନ ଦିଗରେ ଏମାନଙ୍କ ଭୂମିକା ଯଥେଷ୍ଟ ରହିଛି। ନିଷ୍ଠାର ସହ କାମକଲେ ଭଲ କରିବେ। ତେଣୁ ନିଜ ଭିତରେ ଥିବା ପ୍ରତିଭାର ଛାତ୍ରଛାତ୍ରୀମାନେ ବିକାଶ କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରନ୍ତୁ। ନିଜ ପରିବାର ଓ ବାପା-ମାଆଙ୍କ ପ୍ରତି ଥିବା ଦାୟିତ୍ୱବୋଧ ସହିତ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ଦିଗରେ ବ୍ରତୀ ହେବା ଜରୁରୀ।
ମୁଖ୍ୟମନ୍ତ୍ରୀ କହିଥିଲେ, ସନ୍ଥ ଭୀମଭୋଇ ସାରା ବିଶ୍ୱକୁ ମୋହିତ କରିଛନ୍ତି। ସଂଗ୍ରାମୀ ବାଜି ରାଉତଙ୍କ ସାହସ ଓ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ସେହିପରି ବିଜୁବାବୁଙ୍କ ଓଡ଼ିଆ ପ୍ରୀତି ତାଙ୍କୁ ଅମର କରି ରଖିଛି। ଓଡ଼ିଶାରେ ଏଭଳି ବହୁ ମହାନ ଜନନାୟକ ଥିଲେ ଯେଉଁମାନେ ଆଦର୍ଶର ପ୍ରତୀକ। ତେଣୁ ସ୍ୱାଭିମାନୀ ଓଡ଼ିଆ ଜାତିର ଟେକ ରଖିବା ପାଇଁ ଛାତ୍ର ସମାଜ ବଜ୍ର ଶପଥ ନେବା ଦରକାର। ସେ ପୁଣି କହିଥିଲେ, ଏବେ ଡିଜିଟାଲର ଯୁଗ। ସୋସିଆଲ ମିଡିଆର ସଦୂପଯୋଗ ହେବା ଆବଶ୍ୟକ। ଏହାର ଦୁରୁପଯୋଗ ନହେବା ପାଇଁ ଆଗୁଆ ସତର୍କତା ବାଞ୍ଛନୀୟ। ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ, ସାଂଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଛି ।

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ବିବିଧ ଯୋଜନାର ସଫଳତା ସମ୍ବନ୍ଧରେ ଆଲୋଚନା ହୋଇଥିଲା। ବୈଠକରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ରେ ସଂଶୋଧନ ଅଣାଯାଇ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଏକକ ପରୀକ୍ଷା ନୀତି ଅବଲମ୍ବନ କରାଯାଉ, ସମସ୍ତ ପରୀକ୍ଷା ଫଳ ୩୦ରୁ ୪୫ ଦିନ ମଧ୍ୟରେ ପ୍ରକାଶ କରାଯାଉ ବୋଲି ମତପ୍ରକାଶ ପାଇଛି।

ବିଜୁ ଛାତ୍ର ଜନତା ଦଳର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟ ଡାଟାବେସ୍ କରାଯାଇ ସେମାନଙ୍କ ସହ ସୋସିଆଲ୍ ମିଡିଆରେ ସମ୍ପର୍କ ସ୍ଥାପନ କରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ କରିବା ନେଇ ନିଷ୍ପତ୍ତି ହୋଇଛି। ବିଜୁ ଜନତା ଦଳରେ ଯୋଗ ଦେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଦଳରେ ସଭାପତିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ଚରିତ୍ର ଗଠନ, ସେବା ମନୋଭାବ ସହ ଓଡ଼ିଶାର ସାଢେ ୪ କୋଟି ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି । ଏହାସହ ପ୍ରିୟ ନେତାଙ୍କ ସେବା ଓ ସମର୍ପଣକୁ ପାଥେୟ କରି ‘ଓଡ଼ିଶା ମୋ ପରିବାର’ ଓ ‘ଜୀବନବିନ୍ଦୁ’ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବା ଓ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଥିଲା ।

ଜିଲ୍ଲା,ବ୍ଲକ ଓ ପଞ୍ଚାୟତସ୍ତରରେ କମିଟି ଗଠନ କରିବା ସହିତ ୫୦% ମହିଳାଙ୍କୁ ସ୍ଥାନ ଦିଆଯିବା, ପ୍ରତ୍ୟେକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର, ଜନସେଚେତନତା କାର୍ଯ୍ୟକ୍ରମ କରାଇବା ଏବଂ ମହାନ ଜନନାୟକଙ୍କର ଜନ୍ମଦିବସକୁ କଲେଜ କ୍ୟାମ୍ପସ ଓ ଦଳୀୟ କାର୍ଯ୍ୟାଳୟରେ ମହାସମାରୋହରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। କାର୍ଯ୍ୟକାରିଣୀରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, ରାଜ୍ୟସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବ ଜନତା ଦଳର ସଭାପତି ଡକ୍ଟର ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଛାତ୍ରନେତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ନେତୃମଣ୍ଡଳୀଙ୍କ ମଧ୍ୟରେ ଦଳର ସମ୍ପାଦକ (ଛାତ୍ର ବ୍ୟାପାର) ମନ୍ଦାକିନୀ କର, ତନ୍ମୟ ସ୍ୱାଇଁ, ଯୁଗ୍ମ ସମ୍ପାଦକ (ଛାତ୍ର ବ୍ୟାପାର) ପ୍ରକାଶ ଡାଙ୍ଗ, ହରିଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ବିଜୁ ଛାତ୍ର ଜନତାଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ୱାଇଁ, ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜ୍ୟ ମହାସଚିବ ଇପ୍ସିତା ସାହୁ ଏବଂ ସମସ୍ତ ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ସମେତ ୩୪ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଏବଂ ଜୋନ୍ ସଭାପତିବୃନ୍ଦ ବୈଠକରେ ଯୋଗ ଦେଇଥିଲେ ।