ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଡିଆରଡିଏ ସଭାଗୃହରେ ଆଜି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର, ଆଇଟି ଓ ଇଲେକଟ୍ରୋନିକ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମି, ଜିଲ୍ଲାପାଳ ଡ.ୱାଇ ବିଜୟ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ ଯୋଗଦେଇ କୃଷି, ଯୋଗାଣ ବିଭାଗ, ସ୍ୱାସ୍ଥ୍ୟ, ରାସ୍ତା ଓ ଗୃହ ବିଭାଜନ, ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗରେ ଚାଲୁ ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ବିଜୁ କେବିକେ ଯୋଜନାରେ ମୋଟ ୩ କୋଟି ୫୦ ଲକ୍ଷ ଟଙ୍କାର ୬୯ଟି ପ୍ରକଳ୍ପ ଅନୁମୋଦନ କରାଯାଇଛି।
ଏହାବ୍ୟତୀତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କମ୍ପ୍ରେହେନସିଭ ଡିଷ୍ଟ୍ରିକ୍ଟ ଆନୁଆଲ ପ୍ଲାନରେ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କରିବା ପାଇଁ ୧୨୯୭ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବେହେରା ବିଜୁ କେବିକେ ଯୋଜନାରେ ଅନେକ ପ୍ରକଳ୍ପ ରାସ୍ତାଘାଟ ପାଇଁ ରଖାଯାଇଥିବାରୁ ଏହାକୁ ସଂଶୋଧନ କରି ପାନୀୟଜଳ ପାଇଁ ଅର୍ଥ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଗର୍ଭବତୀ ଓ ଶିଶୁଙ୍କ ପୃଷ୍ଟିହୀନତା ରୋକିବାକୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଯେଭଳି ଚାଷୀମାନେ ଅବଗତ ହେବେ ଓ ଏହାର ସୁଫଳ ନେବେ ସେଥିପାଇଁ ସଚେତନତା କରିବାକୁ କହିଥିଲେ।
ଏହି ବୈଠକରେ ଜିଲ୍ଲା ଯୋଜନା, ପର୍ଯ୍ୟାଲୋଚନା ବିଭାଗ ଏବଂ ପରିସଂଖ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ହର ମୋହନ ବିଶ୍ୱାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଫୁଲ୍ଲ କୁମାର ନନ୍ଦ, ଗ୍ରାମ୍ୟଜଳ ଓ ପରିମଳ ମିଶନର ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ରାଉତ , ଡି.ଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର, ବାଲାଜୀ ପଟ୍ଟନାୟକ, ହିମାଂଶୁ ଭୁଷଣ ମହାରଣା, ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ, ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।