ବିଧାନ ପରିଷଦ ଗଠନ ସଂକଳ୍ପକୁ ଅନୁମୋଦନ ପାଇଁ ଦାବି ଉଠିଲା

  • ଭୁବନେଶ୍ୱର: ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ହେବ ବିଧାନ ପରିଷଦ। ଏନେଇ ସର୍ବ ସମ୍ମତିକ୍ରମେ ସଂକଳ୍ପ ବିଧାନସଭାରେ ପାରିତ ହୋଇଛି। ୩ବର୍ଷ ହେବ କେନ୍ଦ୍ରକୁ ସଂକଳ୍ପ ପଠାଯାଇଥିଲେ ମଧ୍ୟ ଏ ଯାଏଁ ସଂସଦର ଅନୁମୋଦନ ମିଳିପାରୁନି। ତୁରନ୍ତ ବିଧାନ ପରିଷଦ ଗଠନ କରିବା ପାଇଁ କଂଗ୍ରେସ ଓ ବିଜେଡି ଦାବି କରିଛନ୍ତି। ଅନ୍ୟପଟେ ପରିଷଦ ଗଠନ ନେଇ ମାପିଚୁପି ମତ ରଖିଛି ବିଜେପି।
    ପୁଣି ଫେରିଲା ବିଧାନ ପରିଷଦ ଗଠନ ପ୍ରସଙ୍ଗ। କେନ୍ଦ୍ର ପାଖରେ ସ୍ୱର ଶାଣିତ କରିବ ରାଜ୍ୟ। ସଂକଳ୍ପକୁ ଅନୁମୋଦନ ପାଇଁ ଉଠିଲା ଦାବି। ୨୦୧୫ ଜାନୁଆରୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ବିଧାନ ପରିଷଦ କମିଟି ବିହାର ତେଲଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଗସ୍ତ କରି ସେଠାରେ କିପରି ବିଧାନ ପରିଷଦ କାର୍ଯ୍ୟକାରୀ ହେଉଛି ଅନୁଧ୍ୟାନ କରିଥିଲା। ଅନୁଧ୍ୟାନ ପରେ କମିଟି ରିପୋର୍ଟ ବି ଦେଇଥିଲା। ୬ ସେପ୍େଟମ୍ବର ୨୦୧୮ ବିଧାନସଭାରେ ସର୍ବ ସମ୍ମତିକ୍ରମେ ବିଧାନ ପରିଷଦ ସଂକଳ୍ପ ପାରିତ ହୋଇଥିଲା। ଏହାପରେ ସଂକଳ୍ପକୁ କେନ୍ଦ୍ରକୁ ପଠାଯାଇଥିଲା। ଏହାରି ଭିତରେ ୩ ବର୍ଷ ବିତିଯାଇଛି। ହେଲେ ଏଯାଏଁ ସଂସଦରେ ଏ ସଂକ୍ରାନ୍ତରେ ବିଲ କେନ୍ଦ୍ର ଆଣୁନାହିଁ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପୁନର୍ବାର ବିଧାନ ପରିଷଦ ବିଲ୍ ଆଣିବା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ଦାବି କରିବ ବୋଲି ବିଜେଡି କହିଛି। ରାଜ୍ୟସଭା ପରି ଓଡ଼ିଶାରେ ବିଧାନପରିଷଦ କାର୍ଯ୍ୟକ୍ଷମ ହେବ। ନିୟମ ଅନୁସାରେ ବିଧାନ ପରିଷଦର ୪୯ ଜଣ ସଦସ୍ୟ ରହିବେ। ବିଭିନ୍ନ ବର୍ଗର ଲୋକ ବିଧାନ ପରିଷଦର ସଦସ୍ୟଭାବେ ମନୋନୀତ ହେବେ। ଏଣୁ କେନ୍ଦ୍ର ସରକାର ଆଉ ଡେରି ନକରି, ଅନ୍ୟ ରାଜ୍ୟ ପରି ବିଧାନପରିଷଦ ବିଲକୁ ସଂସଦରେ ପାରିତ କରିବା ପାଇଁ ଦାବି କରିଛି କଂଗ୍ରେସ। ବିଜେପି କିନ୍ତୁ ଅନ୍ୟ ରାଜ୍ୟର ଉଦାହରଣ ଦେଇ ଏ ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା କରିଛି। ବିଧାନପରିଷଦର ସଂକଳ୍ପ କେବେ ସଂସଦରେ ପାସ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବ ତାକୁ ଅପେକ୍ଷା ରହିଲା।