ନନ୍ଦନକାନନ ପ୍ରାଣୀଉଦ୍ୟାନରେ ମହୁମାଛି ଆକ୍ରମଣ, ୧୫ ଜଣ ପର୍ଯ୍ୟଟକ ଆହତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରେ ମହୁମାଛି ଆକ୍ରମଣରେ ଅତି କମରେ ୧୫ ଜଣ ପର୍ଯ୍ୟଟକ ଗୁରୁବାର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଅଧିକାଂଶ ପର୍ଯ୍ୟଟକ ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ଜଣାଯାଇଛି। ସୂତ୍ରରୁ ପ୍ରକାଶ ଯେ ପ୍ରାଣୀଉଦ୍ୟାନର ଏକ ଏନକ୍ଲୋଜର ନିକଟରେ ଥିବା ଏକ ଗଛରେ ମହୁମାଛି କୌଣସି ପ୍ରକାରେ ବିଚଳିତ ହେବା ପରେ ଏହି ଘଟଣା ଘଟିଛି। ଅପରାହ୍ଣରେ ମହୁମାଛି ସେମାନଙ୍କ ଉପରେ ଆକ୍ରମଣ କରିବା ପରେ ପର୍ଯ୍ୟଟକମାନେ ଦୌଡ଼ିବା ଆରମ୍ଭ କରିଥିଲେ।

ଏହି ଘଟଣା ପରେ ଗାଇଡ୍ ଏବଂ ଅନ୍ୟ ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।