ବାର ଆସୋସିଏସନର ନିର୍ବାଚନ ଡ଼ିସେମ୍ବର୧୨ରେ

କଟକ,ଏନ୍ଏନ୍ଏସ୍: ରାଜ୍ୟର ସମସ୍ତ ବାର ଆସୋସିଏସନ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଆଜି ରାଜ୍ୟ ବାର କାଉନସିଲ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।  ଏହି ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ମାସ ୨୪ ଓ ୨୫ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବାବେଳେ ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ୨୭ ତାରିଖରେ ତାଲିକା ପ୍ରକାଶ କରାଯିବ। ପୁନଶ୍ଚ ନଭେମ୍ବର ୨୮ ତାରିଖ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଉକ୍ତ ଦିନ ଅପରାହ୍ନ ୪ ଘଟିକା ସମୟରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ ଡିସେମ୍ବର ୧୨ ତାରିଖ ଦିନ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସଦସ୍ୟମାନେ ମତଦାନ କରିବେ। ମତଦାନ ପରେ ସଂଧ୍ୟା ୫ଘଟିକାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ବାର ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚର ଶେଷ ଶନିବାର ରାଜ୍ୟରେ ସମସ୍ତ ବାର୍ର ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ମହାମାରୀ କରୋନା କଟକଣା ଲାଗୁ ହୋଇଯିବାରୁ ଏହି ନିର୍ବାଚନକୁ ବାତିଲ୍ କରି ଦିଆଯାଇଥିଲା।

ଏହି ସ୍ଥାନରେ ପ୍ରତ୍ୟେକ ବାର୍ରେ ଏକ ଅନ୍ତରୀଣ କମିଟି ଗଠନ ନିମନ୍ତେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା; ମାତ୍ର ଏହାକୁ ଚାଲେଞ୍ଜ କରି ବାଲେଶ୍ୱର ବାର୍ ଆସୋସିଏସନ୍, ଭଦ୍ରକ ବାର୍ ଆସୋସିଏସନ୍, ଭୁବନେଶ୍ୱର ବାର୍ ଆସୋସିଏସନ୍, ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟାନ୍ୟ ସମସ୍ତ ବାର୍ରେ ନିର୍ବାଚନ ପାଇଁ ଅଟକି ରହିଥିଲାବେଳେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ମହମ୍ମଦ ରଫିକ୍ ଏବଂ ବିଚାରପତି ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି କରି ଆସନ୍ତା ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ପ୍ରତ୍ୟେକ ବାରର ନିର୍ବାଚନ ପ୍ରକ୍ରିୟା ଶେଷ କରିବା ସହିତ ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଏହାର ଫଳାଫଳ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଆଇନଜୀବୀ ପରିଷଦ ଅଧୀନରେ ହାଇକୋର୍ଟ ବାର୍ ସମେତ ୧୮୧ଟି ବାର ପଞ୍ଜିକୃତ ହୋଇଛନ୍ତି। ଏହି ୧୮୧ଟି ବାର୍ର ସଭାପତି, ସମ୍ପାଦକ ପଦବୀ ସହିତ ଅନ୍ୟାନ୍ୟ ପଦପଦବୀରେ ନିର୍ବାଚନ ହେବ ବୋଲି ବାରକାଉନସିଲ ପକ୍ଷରୁ କୁହାଯାଇଛି। ଏଥିସହିତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମତଦାନ ସମୟରେ ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜରରେ ହାତ ସଫାକରିବା, ମତଦାନରେ ଭିଡ଼ ନହେବା ପାଇଁ ଅଧିକ ସଂଖ୍ୟକ ବୁଥ ବ୍ୟବସ୍ଥା କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।