ବାଲେଶ୍ବରରେ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡ଼ିଶାର ବାଲେଶ୍ବରରେ ସ୍ଥାପନ ହେବ ବ୍ୟାଙ୍କ ନୋଟ ପେପର ମିଲ୍ । ଏ ନେଇ ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଆଜି ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କମ୍ପାନିର ଓଡ଼ିଶା ପ୍ରକଳ୍ପ ସଂପର୍କରେ ତାଙ୍କୁ ଅବଗତ କରାଇଛନ୍ତି । ବାଲେଶ୍ବର ପ୍ରକଳ୍ପରେ କମ୍ପାନି ପ୍ରାୟ ୨୫୦୦ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ସବୁପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ମଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ବାସନା ପ୍ରଦାନ କରିଛନ୍ତି । ଏହି ଅବସରରେ ୫ଟି ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ ।

ଗତକାଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ)ର ତିନିଜଣିଆ ଟିମ୍‌ ବାଲେଶ୍ବର ଗସ୍ତରେ ଆସି ଜମି ଅନୁଧ୍ୟାନ କରି ଫେରିଥିଲେ। ରେମୁଣା ତହସିଲ ଅଧୀନ ଚଷାଖଣ୍ଡ ପଞ୍ଚାୟତ ପଦାବଡ଼ଗାଁ, ନରହରିପୁର ଓ ବାଉଁଶମୁହାଁ ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ଜମିକୁ ଅନୁଧ୍ୟାନ କରିଥିଲେ। ଏଥିରୁ ପଦାବଡ଼ଗାଁ ଓ ନରହରିପୁର ଅଞ୍ଚଳରେ ଥିବା ଜମିକୁ ଏହି ଟିମ୍‌ ପସନ୍ଦ କରିଥିବା ଜଣାଯାଇଛି।