ଭୁବନେଶ୍ୱର,ଏନ୍ଏନ୍ଏସ୍: ପଛୁଆ ବର୍ଗର ପିଲା ଏବଂ ଗରିବ ଶ୍ରେଣୀର ପିଲା ମଧ୍ୟ ଘରୋଇ ବିଦ୍ୟାଳୟରେ ପାଠପଢ଼ାର ସୁଯୋଗ ପାଇବେ। ସେମାନଙ୍କ ପାଇଁ ଘରୋଇ ବିଦ୍ୟାଳୟରେ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ଓ ପଛୁଆ ବର୍ଗ ପିଲାଙ୍କ ଅଭିଭାବକମାନେ ଆରଟିଆଇ ପୋର୍ଟାଲରେ ସଞ୍ଚାର ଜରିଆରେ ଆବେଦନ କରିପାରିବେ ବୋଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କୁ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଘରୋଇ ସ୍କୁଲରେ ପାଠ ପଢିବା ପାଇଁ ଚାହୁଁଥିଲେ ଆରଟିଆଇ ପୋର୍ଟାଲରେ ପିଲାଙ୍କର ପଞ୍ଜିକରଣ କରିବା ଆବଶ୍ୟକ। ଯେଉଁ ଅଭିଭାବାକମାନେ ଯୋଜନା ବାବଦରେ ଜାଣିନଥିବେ, ସେମାନଙ୍କୁ ଏନଜିଓ ଏବଂ ଆରଟିଆଇରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ସେମାନଙ୍କୁ ଅବଗତ କରାଇବେ।
ଡିଇଓ ଓ ଘରୋଇ ସ୍କୁଲର ଅଧ୍ୟକ୍ଷ ତାଙ୍କ ସହ ଯୋଗାଯୋଗ କରି କିଭଳି ସଚେତନ କରାଯିବ ସେନେଇ ଦୃଷ୍ଟି ଦେବେ। ବ୍ୟାନର ଓ ସାହି ବସ୍ତି ଅଞ୍ଚଳରେ କିଭଳି ଭାବରେ ସଚେତନତା କରାଯିବ ସେନେଇ କାର୍ଯ୍ୟ କରିବେ। ଏଥିସହ ପଛୁଆ ବର୍ଗର ପିଲାଙ୍କ ପାଇଁ ଯେଉଁ ସିଟ୍ ରହିଛି, ଯଦି ସେହି ସିଟ ବଳକା ହୋଇଯାଏ ସେହି ସିଟଗୁଡିକ ବର୍ଷ ସାରା ବଳକା ଭାବରେ ରହିବ। ମନ ଇଚ୍ଛା ବଳକା ସିଟ ପୁରଣ କଲେ ଉକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଜରିମାନା ଲାଗୁହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସଂରକ୍ଷଣ ସ୍ଥାନ ସମ୍ବନ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ସ୍ଥାନଗୁଡିକ ପୂରଣ ହେବା ଯାଏଁ ନାମଲେଖା ଜାରି ରହିବ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବା ସହିତ ଏନଜିଓ ଓ ଶିଶୁ ସୁରକ୍ଷା ଅଧିକାର ଉପରେ କାର୍ଯ୍ୟ କରୁଥିବା ସଂସ୍ଥାକୁ ଏଥିରେ ସାମିଲ କରାଯିବ ବୋଲି ଶିଶୁ ସୁରକ୍ଷା ଆୟୋଗ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷରେ ୫୫୮ଟି ସ୍କୁଲ ଆରଟିଇରେ ପାଠପଢିବେ ପିଲା। ଏଥିପାଇଁ ୩୦ ଟି ଜିଲ୍ଲାରେ ୫ ହଜାର ୭୦୬ ଟି ସିଟ ସୁରକ୍ଷିତ ରଖାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।