୮ ଦିନ ଚାଲିବ ବିଧାନସଭା ଗୃହ କାର୍ଯ୍ୟ, ଅଧିବେଶନରେ ମୋଟ ୧୨ ବିଲ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ସମସ୍ତ ପୂର୍ବପ୍ରସ୍ତୁତି ଶେଷ ହୋଇଛି । କରୋନା ମହାମାରୀର ପ୍ରକୋପକୁ ନଜରରେ ରଖି ଏଥିର ଅଧିବେଶନକୁ ୮ ଦିନରେ ସୀମିତ ରଖାଯିବା ସହ ପ୍ରଶ୍ନକାଳକୁ ବାତିଲ୍ କରାଯାଇଛି । ସାମାଜିକ ଦୂରତା ଏବଂ କରୋନା କଟକଣାକୁ ସରକାରଙ୍କୁ ପକ୍ଷରୁ ଏଥିର ସର୍ବାଧିକ ପ୍ରାଥମିକତା ଦିଆଯାଇଥିବା ବେଳେ ଦୈନିକ ବିଧାନସଭାର ଗୃହକାର୍ଯ୍ୟ ୪ ଘଣ୍ଟା ରଖାଯାଇଛି । ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହୋଇ ପାରିତ ହେବା ସହ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରାଯିବ । ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ୩ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ । ଅନ୍ୟ ଦିନମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ଏବଂ ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ ।

ଚଳିତ ଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ଅଧିବେଶନ ଚାଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେବଳ ପ୍ରଶ୍ନକାଳକୁ ଛାଡ଼ି ନିୟମ ଅନୁଯାୟୀ, ମୁଲତବୀ ପ୍ରସ୍ତାବ, ସଂକଳ୍ପ, ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଆଦି ରହିବ । ବିଧାୟକଙ୍କ ମଧ୍ୟରେ ୪ ଫୁଟ୍ ଦୂରତା ବଜାୟ ରଖାଯିବ । ଦର୍ଶକ ଗ୍ୟାଲେରୀରେ ମଧ୍ୟ ବିଧାୟକମାନେ ବସିବେ । ୧୪୫ଟି ସିଟ୍ ଏଥିପାଇଁ ପ୍ରସ୍ତୁତ ରଖାଯାଇଛି । ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ମୁଖରେ ସିଲ୍‌ଡ ଗ୍ଲାସ୍ ଲଗାଯାଇଛି । ଯେଉଁ ବରିଷ୍ଠ ବିଧାୟକମାନେ ଗୃହକୁ ଆସିପାରିବେନି, ସେମାନେ ଆଗୁଆ ସୂଚନା ଦେବେ । ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଭୁବନେଶ୍ୱର ଓକାକ୍‌ରେ ଭିଡିଓ କନ୍‌ଫରେନ୍ସିଂରେ ସେମାନେ ଯୋଗ ଦେଇପାରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ତେବେ ଏଥର ଅଧିବେଶନ ରବିବାର ଛୁଟି ଦିନରେ ବି ଚାଲିବ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ ।

ଏହାବାଦ୍ ୭ ତାରିଖ ଯାଏଁ ସବୁଦିନ ବିଧାନସଭା ଚାଲିବ । ଏହି ୮ ଦିନିଆ ଅଧିବେଶନରେ କେବଳ ଅକ୍ଟୋବର ୬ ତାରିଖଟି ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ପାଇଁ ଆବଣ୍ଟନ କରାଯାଇଥିବା ବେଳେ ଅନ୍ୟ ୭ ଦିନ ଅଫିସିଆଲ୍ ବିଜନେସ୍ ରହିବ । ଅନ୍ୟପକ୍ଷରେ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ପୁଣି ଥରେ କୋଭିଡ୍ ପରୀକ୍ଷା କରାଯିବ । ପରୀକ୍ଷାରେ ନେଗେଟିଭ୍ ଥିବା ବ୍ୟକ୍ତିଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ମିଳିବ । ଆବଶ୍ୟକସ୍ଥଳେ ଆଣ୍ଟିଜେନ୍ ଟେଷ୍ଟ୍‌ର ମଧ୍ୟ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଅଧିବେଶନର ଅବଧି ସ୍ୱଳ୍ପକାଳୀନ ହେଲେ ମଧ୍ୟ ବିରୋଧୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । କୋଭିଡ ପରିଚାଳନାରେ ତ୍ରୁଟି, ବିଜୁଳି ଦର ବୃଦ୍ଧି, ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ପ୍ରବାସୀ ଓଡ଼ିଆ ଶ୍ରମିକ ସମସ୍ୟା, ନୂତନ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ଓ କୃଷି ବିଲ୍ ଓ ଚାଷୀ ସମସ୍ୟାକୁ ବିରୋଧୀ ପ୍ରମୁଖ ପ୍ରସଙ୍ଗ କରିବେ । ବିରୋଧୀ କଂଗ୍ରେସ ଏବଂ ବିଜେପିର ବିଧାୟକ ଦଳ ବୈଠକ ଏବଂ ଏଥିରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ପୂରା ଅଧିବେଶନର ମାହୋଲକୁ ସରଗରମ କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଶାସକ ଦଳ ବିଜେଡି ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିଛି । ଅଧିବେଶନରେ ସରକାରଙ୍କ ପକ୍ଷରୁ ୧୨ଟି ବିଲ୍ ଆସିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।