ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାମାରୀ କରୋନା କାଳରେ ଆଜିଠାରୁ କଟକଣା ଭିତରେ ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶ୍ରଦ୍ଧାଞ୍ଜଳି ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଅଧିବେଶନ ଆରମ୍ଭରୁ ପୂର୍ବତନ ବାଚସ୍ପତି ଶରତ କର ଓ ଦୁଇ ପୂର୍ବତନ ବିଧାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର ଓ ଗୁରୁପଦ ନନ୍ଦଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହାଛଡ଼ା କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।