ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଧାନସଭା ମୁଲତବି, ନିର୍ଦ୍ଦିଷ୍ଟ ଦଳର ଚାପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ

ଭୁବନେଶ୍ଵର,ଏନ୍ଏନ୍ଏସ୍: ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ଏହାକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଜେପି ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିବା ସହ ଚାପରେ ପଡ଼ି ବାଚସ୍ପତି ଏପରି ନିଷ୍ପତ୍ତି ନେଇଥିବା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି।

ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଅଗଣତାନ୍ତ୍ରିକ ଏବଂ ରାଜ୍ୟ ବିରୋଧୀ। ଏକ ନିର୍ଦ୍ଦିଷ୍ଟ ଦଳର ଚାପରେ ଆସି ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କରିଛନ୍ତି। ରାଜ୍ୟରେ ସରକାର ସମ୍ପୂର୍ଣ୍ଣ ସମ୍ବେଦନହୀନ ଏବଂ ନିର୍ଲଜ ଭାବେ ଚାଲିଛି। ସ୍ମିତାରାଣୀ, ଟୋକନ ଅବ୍ୟବସ୍ଥା ପ୍ରସଙ୍ଗ ସତ୍ତେ୍ୱ ସରକାର ଆଲୋଚନା କଲେନି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ। କୌଣସି ଗୁରୁତ୍ଵପୂର୍ଣ୍ଣ ସରକାରୀ କାର୍ୟ୍ୟ ନ ଥିବାରୁ ବାଚସ୍ପତି ବିଧାନସଭାର ୧୭ଟି କାର୍ୟ୍ୟ ଦିବସ ପୂର୍ବରୁ ଗୃହକୁ ବନ୍ଦ କରିବାକୁ ଘୋଷଣା କରିଥିଲେ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ ୩୦ଟି କାର୍ୟ୍ୟ ଦିବସ ଧାର୍ୟ୍ୟ ହୋଇଥିଲା। ତନ୍ମଧ୍ୟରୁ ୧୩ଟି କାର୍ୟ୍ୟ ଦିବସ ସମ୍ପୂର୍ଣ୍ଣ ହୋଇଛି।