ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟ ସରକାର ବିଧାନସଭା ମେଡିକାଲ ଅଧିକାରୀ ଲଳିତ ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନେଇ ବିବାଦରେ ଥିଲେ । ଶ୍ରୀ ବେହେରା ଚାକିରିରୁ ନିଲମ୍ବିତ ହୋଇଛନ୍ତି ।
ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତଙ୍କୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଦେଇଛନ୍ତି ବଡ ତଥ୍ୟ । ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ଆସିଥିବା ବ୍ୟକ୍ତି ଜଣକ କର କ୍ଲିନିକ୍ ବ୍ୟତୀତ ବିଧାନସଭା ଡିସପେନ୍ସରୀକୁ ମଧ୍ୟ ଆସିଥିଲେ ।
ସୁବ୍ରତ ବାଗଚୀଙ୍କ ସୂଚନା ଅନୁସାରେ, ସଂପୃକ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୧୬ ତାରିଖରେ ଓଡିଶା ବିଧାନସଭାର ଡିସପେନସେରୀକୁ ଆସିଥିଲେ । ଏହାପରେ ସେ ୨୧ ତାରିଖରେ ଭୁବନେଶ୍ୱର ସ୍ଥିତ କର କ୍ଲିନିକର ଓପିଡିକୁ ଆସିଥିଲେ ଏବଂ ୨୩ ତାରିଖରେ ତାଙ୍କୁ ନିମୋନିଆ ପାଇଁ କର କ୍ଲିନିକରେ ଆଡମିଟ୍ କରାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ୨୪ ତାରିଖ ଦିନ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ୨୫ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ ।
ତେବେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ୨୫ ତାରିଖ ଦିନ ଆଡମିଟ କରାଯିବା ପରେ ପରୀକ୍ଷା ପାଇଁ ତାଙ୍କର ନମୂନା ପଠାଯାଇଥିଲା । ଏବଂ ଗତକାଲି ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିବା ନେଇ ବାଗଚୀ ସୂଚନା ଦେଇଛନ୍ତି ।