ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପୂର୍ବତନ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ମଙ୍ଗଳବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ମୁଖ୍ୟସଚିବ ପଦରୁ ଅବସର ପରେ ରାଜ୍ୟ ସରକାର ଶ୍ରୀ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ଉଭୟ ଦାୟିତ୍ୱ ଶ୍ରୀ ତ୍ରିପାଠୀ ଗ୍ରହଣ କରିଛନ୍ତି। ଏହାସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାବଳୀ ଉପରେ ସେ ସମୀକ୍ଷା କରିଥିବା ଜଣାପଡ଼ିଛି। ଗତବର୍ଷ ମେ’ ୧୦ତାରିଖରେ ସୁବାସ ଚୌହାନଙ୍କର ମୃତ୍ୟୁପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରୀରୁ ଶ୍ରୀ ତ୍ରିପାଠୀ ଅବସର ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି।

ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କୁ ପରାମର୍ଶ ଦେବେ। ୨୦୧୯ ଅଗଷ୍ଟ ୧୯ରେ ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିଥିଲେ। ଅଭୁତ ପୂର୍ବ କୋଭିଡ୍ ମହାମାରୀ ଓ ତାହାର ମୁକାବିଲା କରି କ୍ଷତିଗ୍ରସ୍ତ ରାଜ୍ୟ ଅର୍ଥନୀତିକୁ ସ୍ୱାଭାବିକ ପଥକୁ ଫେରାଇ ଆଣିବାରେ ଶ୍ରୀ ତ୍ରିପାଠୀଙ୍କର ବଡ ଅବଦାନ ଥିଲା।