ପିଏମଜି ଛକରେ ଯାତ୍ରା, ମଞ୍ଚ ଓ ଭଜନ କଳାକାରଙ୍କ ଧାରଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘଦିନ ଧରି କଳାକାର ସଂଘ କରୋନା କାଳରୁ ନିଜର ବେଉସା ହରାଇ ବସିଛି। ହେଲେ ରାଜ୍ୟ ସରକାର ସେମାନଙ୍କ କଥା ବୁଝୁନଥିବାରୁ ଆଜି ରାଜଧାନୀରେ କଳାକାରମାନେ ପ୍ରତିବାଦ କରୁଛନ୍ତି। କରୋନା କଟକଣା ପାଇଁ ଦୀର୍ଘ ୮ ମାସ ହେଲା ମଞ୍ଚ, ଯାତ୍ରା ଏବଂ ଭଜନ କାର୍ଯ୍ୟକ୍ରମ ବନ୍ଦ ରହିଛି। ଫଳରେ କଳାକାର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଦେଇ ପୁଣି ରୋଜଗାର ଫେରାଇ ଦେବାକୁ କଳାକାରମାନେ ଦାବି କରିଛନ୍ତି।

ଏନେଇ ପିଏମଜି ଛକରେ ରାଣୀ ପଣ୍ଡାଙ୍କ ସମେତ ଅନେକ କଳାକାର ଏକାଠି ହୋଇ ଧାରଣ ଦେଇଛନ୍ତି। ରାଜ୍ୟରେ କରୋନା କଟକଣା କୋହଳ ହୋଇଥିବାବେଳେ ପୂର୍ବଭଳି ସବୁ ସ୍ୱାଭାବିକ ହେବାରେ ଲାଗିଛି। ଏମିତିରେ ଅନେକ ସ୍ଥାନରୁ କଟକଣା ଉଠିଥିବାବେଳେ ଯାତ୍ରା, ଭଜନ, ମଞ୍ଚ ପରିବେଷଣକୁ କାହିଁକି ଅନୁମତି ଦିଆଯାଉନି ବୋଲି କଳାକାରମାନେ ପ୍ରଶ୍ନ କରିଛନ୍ତି। କଳାକାରଙ୍କ ପ୍ରତିବାଦକୁ ସମର୍ଥନ ଜଣାଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ଧାରଣାରେ ଯୋଗ ଦେଇଛନ୍ତି।