ଅଭିନେତ୍ରୀ ଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ

ଲକ୍ଷ୍ନୌ,ଏଜେନ୍ସି: ଅଡୁଆରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲ। ମୁରାଦାବାଦ ଏକ ଅଦାଲତ ଅମିଷାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟରେ ସଠିକ୍‌ ସମୟରେ ହାଜର ନହେବା ଯୋଗୁ ତାଙ୍କୁ ଏହି ୱାରେଣ୍ଟ ଜାରି କରାଯାଇଛି। ଆସନ୍ତା ୨୦ ଅଗଷ୍ଟରେ କୋର୍ଟରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। ୨୦୧୭ ଠକେଇ ମାମଲାରେ ଏକ ଇଭେଣ୍ଟ କମ୍ପାନୀ ତାଙ୍କ ନାମରେ ଅଭିଯୋଗ କରିଥିଲା।

ସୂଚନାଅନୁସାରେ, ମୁରାଦାବାଦ ସ୍ଥିତ ଏକ ଇଭେଣ୍ଟ କମ୍ପାନୀ ଅମିଷା ପଟେଲ ଏବଂ ତାଙ୍କ ସହଯୋଗୀ ୧୧ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଅଭିଯୋଗ କରିଛନ୍ତି। ମୁରାଦାବାଦର ଡ୍ରିମ କମ୍ପାନୀ ନାମକ ଏକ ଇଭେଣ୍ଟ କମ୍ପାନୀ ଅଛି। ୧୬ ନଭେମ୍ବର ୨୦୧୭ରେ ଏକ ପ୍ରୋଗ୍ରାମରେ ଯୋଗ ଦେବା ପାଇଁ ଅମିଷା ପଟେଲଙ୍କୁ ୧୧ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିଲା। ହେଲେ ଅମିଷା ପଟେଲ ମୁରାଦାବାଦ ଅଧିକ ଦୂର ହୋଇଯାଉଥିବା କହି ଆହୁରି ୨ ଲକ୍ଷ ଟଙ୍କା ମାଗିଥିଲେ। ଇଭେଣ୍ଟ କମ୍ପାନୀ ଅମିଷାଙ୍କୁ ଆଉ ୨ ଲକ୍ଷ ଟଙ୍କା ଦେବାକୁ ମନା କରିଦେଇଥିଲା। ଏହାପରେ ଅମିଷା କାର୍ଯ୍ୟକ୍ରମରେ ଦିଲ୍ଲୀ ଯାଏ ଆସି ଫେରିଯାଇଥିଲେ। ୧୧ ଲକ୍ଷ ଟଙ୍କା ନେଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ।

ଘଟଣାକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅମିଷା ଏଯାଏଁ ଟଙ୍କା ଫେରସ୍ତ କରିନଥିବା ଅଭିଯୋଗ ହୋଇଛି। ଡ୍ରିମ୍ ଭିଜନ କମ୍ପାନୀର ମାଲିକ ପାବନ୍ ଭର୍ମାଙ୍କ ଅମିଷା ପଟେଲ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ଏହି ମାମଲାରେ ଆସନ୍ତା ଅଗଷ୍ଟ ୨୦ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଅମିଷା ପଟେଲଙ୍କ ସମେତ ୪ ଜଣଙ୍କ ବିରୋଧରେ ମୁରାଦାବାଦ ଏସିଜେଏମ କୋର୍ଟ ଆରେଷ୍ଚ ୱାରେଣ୍ଟ ଜାରି କରିଛନ୍ତି। ଏହି ମାମଲାକୁ ୨୦୧୯ ସେପ୍ଟେମ୍ବର ୧୨ରେ ହାଇକୋର୍ଟ ଶେଷ କରିବାକୁ ଆଦେଶ ଦେଇଥିଲେ। ଅମିଷାଙ୍କ ସହ ସୁରେଶ ପରମାର, ରାଜକୁମାର ଗୋସ୍ୱାମୀ, ଅହମ୍ମଦ ସରିଫଙ୍କ ନାମ ଅଭିଯୁକ୍ତ ତାଲିକାରେ ରହିଛି।