ଡବଲ ମର୍ଡର ଘଟଣା : ଅନୁପଙ୍କ ନାର୍କୋ ଟେଷ୍ଟ ବ୍ରେନ ମେପିଙ୍ଗ ଆବେଦନ ଖାରଜ

ଝାରସୁଗୁଡା,ଏନ୍ଏନ୍ଏସ୍ : କଳ୍ପନା ଦାସ ଓ ବବଲି ଦାସ ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ପୁଲିସ ପକ୍ଷରୁ କରାଯାଇଥିବା ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂର ଆବେଦନକୁ ଗୁରୁବାର ରାୟଗଡ଼ କୋର୍ଟ ଖାରଜ କରିଛନ୍ତି ବୋଲି ସରକାରୀ ଓକିଲ ବେଦ ପ୍ରକାଶ ପଟେଲ ସୂଚନା ଦେଇଛନ୍ତି। ଏହାପୂର୍ବରୁ ପୁଲିସ ପକ୍ଷରୁ କରାଯାଇଥିବା ନାର୍କୋଟେଷ୍ଟର ଆବେଦନକୁ ବୁଧବାର କୋର୍ଟ ଖାରଜ କରିଥିଲେ। ପ୍ରାଥମିକ ତଦନ୍ତ ଓ ପ୍ରଥମ ରିମାଣ୍ଡ ଅବଧିରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ସମ୍ପୂର୍ଣ୍ଣର୍ ସହଯୋଗ କରିନଥିବାରୁ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଙ୍ଗର ଆବଶ୍ୟକତା ରହିଛି ବୋଲି ସରକାରୀ ଓକିଲ ଦେବ ପ୍ରକାଶ ପଟେଲ କୋର୍ଟରେ କହିଥିଲେ। ହେଲେ ଅନୁପଙ୍କ ହୃଦଜନିତ ସମସ୍ୟା ଥିବାରୁ ନାର୍କୋ ଟେଷ୍ଟ ବା ବ୍ରେନ ମ୍ୟାପିଂ ଅନୁପଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ ବୋଲି ତାଙ୍କ ଓକିଲ ବିଜୟ ସରାଫ କହିଥିଲେ।

ଏହାସହ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଅନୁପ ଚିକିତ୍ସା ହୋଇଥିବା ରିପୋର୍ଟ କୋର୍ଟକୁ ପ୍ରଦାନ କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତିକୁ ବିଚାର କରି ଅଦାଲତ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂର ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ଖାରଜ ହେଲା ପରେ ପୁଲିସ ପାଇଁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ, ଲୁହାରଡ୍ ଖୋଜିବା ସହ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପୁଲିସ ପାଇଁ ଆହ୍ୱାନ ହୋଇପଡ଼ିଛି। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଏପର୍ଯ୍ୟନ୍ତ ପୁଲିସକୁ ମିଳିନାହିଁ। ହତ୍ୟାରେ ବ୍ୟବହୃତ ବୋଲେରୋ, ଲୁହାରଡକୁ ଖୋଜିବା ପାଇଁ ପୁଲିସ ତନାଘନା ଜାରି ରଖିଥିବାବେଳେ ଅନୁପ ଓ କଳ୍ପନାଙ୍କ ସମ୍ପର୍କୀୟ ମାନଙ୍କୁ ଚକ୍ରଧରନଗର ଥାନକୁ ଡକାଇ ପଚରା ଉଚୁରା କରାଯାଉଛି।

ଅନ୍ୟପକ୍ଷରେ କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାସ ତୀର୍ଥ ଶେଷ କରି ଶୁକ୍ରବାର ନିଜ ଘର ବଗରାଚକାକୁ ଫେରୁଛନ୍ତି। ପୂର୍ବରୁ ତାଙ୍କୁ ରାୟଗଡ଼ ପୁଲିସ ପକ୍ଷରୁ ଥାନାରେ ହାଜର ହୋଇ ବୟାନ ରେକର୍ଡ କରାଇବା ପାଇଁ ନୋଟିସ ଦେଇଛି। ହେଲେ ତୀର୍ଥ ଯାତ୍ରାରେ ଯାଇଥିବାରୁ ଘରେ ଅନୁପସ୍ଥିତ ଥିଲେ। ତେଣୁ ଏପର୍ଯ୍ୟନ୍ତ ଥାନାରେ ହାଜିର ହୋଇ ନଥିଲେ। ତେବେ ସେ ଗୁରୁବାର ପୁରୀ ପହଞ୍ଚିଥିବାବେଳେ ଶୁକ୍ରବାର ନିଜ ଘରକୁ ଫେରିବେ। ଏହାପରେ ସେ ଥାନାରେ ହାଜିର ହୋଇ ନିଜ ବୟାନ ରେକର୍ଡ କରାଇଲେ କଳ୍ପନା ଓ ବବଲି ବିଷୟରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ କହିଛି।