୨୨ ବର୍ଷ ପରେ ଆଜି ବିବନକୁ ଚିହ୍ନିବେ ଅଞ୍ଜନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ହେବ ଅଭିଯୁକ୍ତ ବିବନ ବିଶ୍ୱାଳର ଟେଷ୍ଟ ଆଇଣ୍ଡେଣ୍ଟିଫିକେସନ (ଟିଆଇ) ପରେଡ୍। ଝାରପଡ଼ା ଜେଲ୍ ପରିସରରେ ଟିଆଇ ପରେଡ୍ ଲାଗି ସିବିଆଇର ସ୍ପେଶାଲ ଜଜ୍ ଅନୁମତି ଦେଇଛନ୍ତି। ସେପଟେ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ସିବିଆଇକୁ ଅନୁମତି ମିଳିଛି।
୪ ଓ ୫ ତାରିଖ ଦୁଇ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ। ଅଭିଯୁକ୍ତ ବିବନ ବିଶ୍ୱାଳର ପରେଡ ଲାଗି ଆବେଦନ ସହ ତାକୁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇର ସ୍ପେଶାଲ ସିଜେଏମ୍ କୋର୍ଟରେ ସିବିଆଇ କୋଲକାତା ପକ୍ଷରୁ ଆବେଦନ କରାଯାଇଥିଲା।

ବିବନକୁ ରିମାଣ୍ଡରେ ନେଇ ଜେରା କରିବାକୁ ସିବିଆଇ ଯୋଜନା କରିଥିବା ବେଳେ ଏପଟେ ଏ ମାମଲାରେ ପ୍ରତିକ୍ରିୟା ରଖି ବିବନକୁ କିଏ ଫେରାର କଲା ସେ କଥା ସାମ୍ନାକୁ ଆସୁ ବୋଲି କହିଛନ୍ତି ଅଞ୍ଜନା ମିଶ୍ର। ସେ କହିଛନ୍ତି ୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବି, ତେବେ ସେ କାହା ପ୍ରରୋଚନାରେ ଏ କାଣ୍ଡ କରିଥିଲା ଏବଂ ୨୨ ବର୍ଷ ଧରି କାହା ଛତ୍ରଛାୟାରେ ଥିଲା ତାର ତଦନ୍ତ କରାଯାଇ ଷଡ଼ଯନ୍ତ୍ରକାରୀଙ୍କୁ ସିବିଆଇ ସାମ୍ନାକୁ ଆଣୁ ବୋଲି ଅଞ୍ଜନା କହିଛନ୍ତି।