ପାରାଦୀପ ଠାରୁ ୧୨୫ କିମି ଦୂରରେ ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାରଗରୁ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ‘ଅମ୍ଫାନ’ ଏବେ ପାରାଦୀପ ଠାରୁ ୧୨୫ କିମି ଦୂରରେ ଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ପଶ୍ଚିମବଙ୍ଗର ଦୀଘା ଠାରୁ ୨୨୫ କିମି ଦୂରରେ ଥିବା ବେଳେ ବାଂଲାଦେଶ ଠାରୁ ୩୮୦ କିମି ଦୂରରେ ଅଛି।

ବାତ୍ୟା ଅମ୍ଫାନ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବ ଆକଳନ ଅନୁଯାଇ ପବନର ବେଗ ଗତିଶୀଳ ହୋଇଛି। ସକାଳ ୭ଟା ସୁଦ୍ଧା ତଥ୍ୟକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଅମ୍ଫାନ ଦିଗ ବଦଳାଇନାହିଁ। ତେଣୁ ଆଜି ଅପରାହ୍ନ ପରଠାରୁ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗରେ ଲ୍ୟାଣ୍ଡଫଳ କରିବ। ଲ୍ୟାଣ୍ଡଫଳ କରିବାକୁ ଥିବା ଅଞ୍ଚଳରେ ଅନେକ ଦୀପପୁଞ୍ଜ ରହିଛି। ଦୀପପୁଞ୍ଜ ଥିବାରୁ ଲ୍ୟାଣ୍ଡଫଳର ସମୟ ବଢ଼ି ସନ୍ଧ୍ୟା ହୋଇପାରେ। ଉପକୂଳ ଓଡ଼ିଶାରେ ୬ ଘଣ୍ଟା ଅର୍ଥାତ ଦିନ ୧ଟା ଯାଏଁ ବର୍ଷା ଓ ପବନ ଲାଗି ରହିବ। ବାଲେଶ୍ୱର ଜିଲ୍ଲାରେ ବର୍ଷା ଓ ପବନ ବେଶୀ ରହିବ ବୋଲି ଆକାଳନ କରାଯାଉଛି।

ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ପାରାଦୀପରେ ଏପର୍ୟ୍ୟନ୍ତ ସର୍ବାଧିକ ପବନ ବହିବା ରେକର୍ଡ ହୋଇଛି। ପାରାଦୀପରେ ୯୬ ଓ ଚାନ୍ଦବାଲିରେ ୭୧ କିମି ବେଗରେ ପବନ ବହିଛି। ତେବେ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉପକୂଳିଆ ଅଞ୍ଚଳରୁ ପ୍ରାୟ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ୟ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି। ସେହିପରି ବିଦ୍ୟୁତ, ପାନୀୟ ଜଳ, ମେଡିକାଲ ବ୍ୟବସ୍ଥା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳର ୧୨ଟି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି।