ଆସନ୍ତାକାଲିଠୁ ସବୁ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଠାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବର୍ଦ୍ଧିତ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେହିପରି ସମସ୍ତ ପରୀକ୍ଷା ସ୍ଥଗିତ ଥିବା ବେଳେ ଅନଲାଇନରେ ପାଠପଢ଼ା ହେବ। ଆସନ୍ତାକାଲି ସୁଦ୍ଧା ଅନ୍ତେବାସୀମାନେ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଛାତ୍ରାବାସଗୁଡିକରେ ରହୁଥିବା ସମସ୍ତ ଅନ୍ତେବାସୀ ଘର ମୁହାଁ ହୋଇଛନ୍ତି। ଉଭୟ ପ୍ରାକ୍ଟିକାଲ୍ ଓ ଥିଓରୀ କ୍ଲାସ ମଧ୍ୟ କରାଯିବ ନାହିଁ। ଅପରପକ୍ଷେ ୫୦ ପ୍ରତିଶତ ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ‘ରୋଷ୍ଟର’ ଅନୁଯାୟୀ କ୍ୟାମ୍ପସ୍ ଆସିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଶିକ୍ଷକ, ଅଧ୍ୟାପକ ଅନଲାଇନ୍ ଶିକ୍ଷାଦାନ କରିବେ। ତେବେ କଲେଜ ତଥା ବିଶ୍ୱବିଦ୍ୟାଳୟରେ ଦୈନିକ କେଉଁ ଅଧ୍ୟାପକ, କର୍ମଚାରୀ ରହିବେ ତାହା କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ।