ଅଡୁଆରେ ଆକାଶ ପାଠକ, ରିମାଣ୍ଡରେ ଆଣିବ କମିଶନରେଟ୍ ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟାଟାମୋଟର୍ସର ନକଲି ଏମଡି ଆକାଶ ପାଠକ ପୁଣି ଅଡୁଆରେ ପଡ଼ିଯାଇଛନ୍ତି। କମିଶନରେଟ୍ ପୁଲିସ ତାଙ୍କୁ ରିମାଣ୍ଡରେ ଆଣି ତାଙ୍କ ଦସ୍ତଖତ ନମୁନାକୁ ରାଜ୍ୟ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇବ ବୋଲି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଆକାଶଙ୍କୁ ରିମାଣ୍ଡରେ ଆଣିବା ନେଇ ସମସ୍ତ ପ୍ରସ୍ତୁତ ସରିଛି। ଖାଲି କମିଶନରେଟ୍ ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯିବ ବୋଲି ସିପି କହିଛନ୍ତି।

ପୁଲିସ ସୂଚନା ଅନୁସାରେ, ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ୍ ଠକେଇ ଘଟଣାର ତନାଘନା ଜୋରଦାର ଚାଲିଛି। ଖାରବେଳନଗର ଥାନା ପୁଲିସ ସ୍କାଏ କିଙ୍ଗ୍ ଅଫିସକୁ ଯାଇ ପ୍ରଥମେ ତଥ୍ୟ ସଂଗ୍ରହ କରିଥିଲା। ଏଥିସହିତ ଆକାଶ ପଠାଇଥିବା ଇମେଲ୍ ଓ କାଗଜପତ୍ରକୁ ମଧ୍ୟ ଜବତ କରିଛି। ଘଟଣାକୁ ଗମ୍ଭୀରତାର ସହ ନେଇ କମିଶନରେଟ୍ ପୁଲିସ ତଦନ୍ତ କରୁଛି। ଆକାଶ ରିମାଣ୍ଡରେ ଆସିବା ପରେ ତାଙ୍କ ଠାରୁ ଦସ୍ତଖତ ନମୁନା ସଂଗ୍ରହ କରାଯିବ। ଏହାପରେ ସେହି ନମୁନାକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ। ଆକାଶ ସ୍କାଏକିଙ୍ଗକୁ ଦେଇଥିବା କାଗଜପତ୍ର ଓ ଟାଟାମୋଟର୍ସର ନକଲି ଏମ୍ଡି ପ୍ୟାଡରେ ଥିବା ଦସ୍ତଖତ ଏବଂ ପୁଲିସ ସଂଗ୍ରହ କରିବାକୁ ଥିବା ଦସ୍ତଖତକୁ ମେଳକ କରାଯିବ ବୋଲି ସିପି କହିଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ଯାଇ ପୁଲିସ ପ୍ରଥମେ ଟାଟା କମ୍ପାନୀକୁ ଚିଠି ଲେଖିଥିଲା। ଚିଠିର ଉତ୍ତରରେ ଆକାଶ ଟାଟା ମୋଟର୍ସର କର୍ମଚାରୀ ନଥିବା ସ୍ପଷ୍ଟ ହୋଇଯାଇଛି। ଏହାପରେ ପୁଲିସ ଘଟଣାର ତଦନ୍ତ ଆଗକୁ ବଢ଼ାଇ ଆକାଶକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଆକାଶ ରିମାଣ୍ଡରେ ଆସିଲେ ବହୁତ୍ ତଥ୍ୟ ମିଳିବ ବୋଲି ପୁଲିସ ଆଶା ରଖିଛି।

ଉଲ୍ଲେଖଯୋଗ୍ୟ ଯେ, ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ମିଛ ପ୍ରମାଣ ପତ୍ର ଦେଇ ଫ୍ଲାଇଟ ବୁକିଂ କରି ସ୍କାଏ କିଙ୍ଗ ସଂସ୍ଥାକୁ ଠକିଥିବା ନେଇ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଛି। ଏଥିରେ ଅଭୟକାନ୍ତଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ବୋଲି ପରିଚୟ ଦେବା ସହ ଜାଲ ପ୍ରମାଣପତ୍ର ଦେଖାଇ ଜନପଥର ଓସିଏଚସି କମ୍ପେ୍ଲକ୍ସରେ ଥିବା ‘ସ୍କାଏ କିଙ୍ଗ୍’ ଟ୍ରାଭେଲ ଏଜେନ୍ସିକୁ ଇମେଲ କରିଥିଲେ। ୨୦୨୦ ଜୁନ ମାସରେ ଏକ ଚାଟାର୍ଡ ଫ୍ଲାଇଟ ବୁକିଂ କରିବାକୁ କହିଥିଲେ। ସ୍କାଏ କିଙ୍ଗ୍ ପକ୍ଷରୁ ମଧ୍ୟ ଏକ ଫ୍ଲାଇଟ ବୁକିଂ କରାଯାଇଥିଲା।
ଏହି ବାବଦରେ ମୋଟ ୨କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କା ବିଲ୍ ହୋଇଥିଲା। ସେ ୨କୋଟି ୧୩ଲକ୍ଷ ୨୨ ହଜାର ୮୫୪ ଟଙ୍କା ଦେଇଥିଲେ। ବାକି ୬୫ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଇନଥିଲେ। ବାରମ୍ବାର ମାଗିବାରୁ ସେ ଧମକଚମକ ଦେଇଥିଲେ। ଏଥିରେ ତାଙ୍କ ବାପା ଅଭୟକାନ୍ତ ମଧ୍ୟ ସହଯୋଗ କରିଥିଲେ। ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ସ୍କାଏ କିଙ୍ଗ୍ର ମାନେଜିଙ୍ଗ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ଖାରବେଳନଗର ଥାନାରେ ଏତଲା ଦୋଇଥିଲେ।