୫ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବେ ଆକାଶ ପାଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାଠକ ବାପ-ପୁଅଙ୍କ ପାଇଁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ଏବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ। ଆକାଶଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଆବେଦନ କରାଯାଇଥିଲା।
ଆକାଶ ପୁନେ ଟାଟା ପାସେଞ୍ଜର୍ସ ଡିଭିଜନରେ ଏମଡି ଥିବା କହି ଚାକିରି ଦେବା ନାଁରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ସେ ଟାଟାର କର୍ମଚାରୀ ନଥିବା କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି। ଜାଲିଆତିର ଗୁମର ଖୋଲିବା ପରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ପୁନେ ଯାଇ ଖୋଳତାଡ କରିଥିଲା। ଆଉ ଗୋଟିଏ ଟିମ୍ ବ୍ରହ୍ମପୁରରେ ତଦନ୍ତ କରିବା ସହ ତଥ୍ୟ ହାତେଇଥିଲା।

ଏହା ପୂର୍ବରୁ ଉଭୟ ପାଠକ ବାପ-ପୁଅଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିଛି ଏସଆଇଟି। କଟକସ୍ଥିତ ଭିଜିଲାନ୍ସ ସେଲ୍‌ ଅଫିସ‌ରେ ୩ ଦିନ ଧରି ଜେରା କରିଛି ଏସଆଇଟି। ଏହି ସମୟରେ ବାପା ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କ ନାଁରେ କୋଟି କୋଟି ଟଙ୍କା ଓ ବେନାମୀ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ଅଧିକ ଖୋଳତାଡ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ।