ଭୁବନେଶ୍ୱର,ଏନ୍ଏନ୍ଏସ୍: ଉପାନ୍ତ ଅଞ୍ଚଳରେ ଉନ୍ନତମାନର ଡାକ୍ତରୀ ଚିକିତ୍ସା ସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଗତବର୍ଷ ଡିସେମ୍ବରରୁ ଆରମ୍ଭ କରିଛନ୍ତି। ଶୁକ୍ରବାର ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ରୂପାୟନ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଏକ ୫ ଜଣିଆ ଡାକ୍ତରୀ ଦଳ ସ୍ୱତନ୍ତ୍ର ହେଲିକପ୍ଟରରେ ନବରଙ୍ଗପୁର ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା କରିଛନ୍ତି।
ଆଜି ସକାଳେ ଏହି ୫ ଜଣିଆ ବିଶେଷଜ୍ଞ ଦଳ ଭୁବନେଶ୍ୱରରୁ ବାହାରି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ପହଞ୍ଚିଥିଲେ। ଡ. ଚିତ୍ତରଞ୍ଜନ ପଣ୍ଡା, ଡ. ବିଶ୍ୱଜିତ୍ ଦାସ, ପ୍ରଫେସର ଡ. ବନବିହାରୀ ମିଶ୍ର, ଡ. ସର୍ବେଶ୍ୱର ରାଉତଙ୍କ ଭଳି ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ଏହି ଟିମ୍ରେ ରହିଛନ୍ତି।
ଗ୍ୟାଷ୍ଟ୍ରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି ଓ ଲାପ୍ରୋସ୍କୋପିକ ସର୍ଜରୀ ଆଦି ବିଭାଗର ଏହି ଡାକ୍ତରମାନେ ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ୭୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିବା ବେଳେ ୫ଜଣଙ୍କ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର କରାଇଛନ୍ତି। ଶନିବାର ଆଉ ଗୋଟିଏ ଦିନ ରୋଗୀଙ୍କ ଚିକିତ୍ସା ସାରି ଏହି ଟିମ୍ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବ ବୋଲି ନବରଙ୍ଗପୁର ସିଡିଏମ୍ଓ କାଳିପ୍ରସାଦ ବେହେରା ଜଣାଇଛନ୍ତି।
ରାଜ୍ୟର ଆଦିବାସୀବହୁଳ ୪ଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଲାଗୁ କରିଛନ୍ତି । ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଆଗକୁ ଅନ୍ୟ ଜିଲ୍ଲାମାନଙ୍କରେ ଏହାକୁ ଲାଗୁ କରାଯିବ । ମାଲକାନଗିରି, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପୂର୍ବରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇସାରିଥିବା ବେଳେ ଆଜି ନବରଙ୍ଗପୁରରେ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ଏହି ଯୋଜନାରେ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ବିଶେଷଜ୍ଞ ଡାକ୍ତର ଉପାନ୍ତ ଜିଲ୍ଲାରେ ପହଞ୍ଚି ସର୍ଜରୀ କରୁଥିବାରୁ ସ୍ଥାନୀୟ ଲୋକେ ଭୁବନେଶ୍ୱର, କଟକ ଆସି ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇଛନ୍ତି ।