ଏମ୍ସ ଗବେଷକଙ୍କ ନୂଆ ଫଙ୍ଗସ୍ ଆବିଷ୍କାର

  • ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଗବେଷଣାରୁ ଏକ ନୂଆ ଫଙ୍ଗସ ଆବିଷ୍କାର କରାଯାଇଛି। ଏହାର ନାଁ ‘ଅରୁଣାଲୋକେ’ ରଖାଯାଇଛି। ନୂଆ ଫଙ୍ଗସ ଅରୁଣାଲୋକେ ବ୍ଲାକ ଫଙ୍ଗସ ବା ମ୍ୟୁକରମାଇକୋସିସ ସୃଷ୍ଟି କରିପାରୁଥିବା ଜଣାପଡ଼ିଛି। ମାତ୍ରାଧିକ ଓ ଦୀର୍ଘଦିନ ଯାଏଁ ଷ୍ଟିରଏଡ ଏବଂ ଆଣ୍ଟିବାୟୋଟିକ ଔଷଧ ନେଉଥିବା ରୋଗୀ ବା କରୋନାରୁ ସୁସ୍ଥ ହୋଇଥିବା ରୋଗୀ ଫଙ୍ଗାଲ ଇନଫେଙ୍ଗସନ ହେବାର ଆଶଙ୍କା ବଢ଼ିଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ ଫଙ୍ଗସ ସଂକ୍ରମଣ ହେବା ଦେଖାଯାଉଛି। ବ୍ଲାକ ଫଙ୍ଗସ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ। ଆଖି ନାଲି ପଡ଼ି ଫୁଲିଯାଏ। ମୁଣ୍ଡ ଚାରି ପଟ ବିନେ୍ଧ, ପାଟି ଭିତରେ ଯନ୍ତ୍ରଣା ହୁଏ ଓ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯାଏ।
    ଭୁବନେଶ୍ୱର ଏମମ୍ସ ମାଇକ୍ରୋବାୟୋଲଜିଷ୍ଟ ଡାକ୍ତର ବିନୟ ହାଲୁର କହିଛନ୍ତିୂ ‘ଚିହ୍ନଟ ହୋଇଥିବା ଫଙ୍ଗସ୍ ଡାଇବେଟିସଓ ଷ୍ଟିରଏଡ ନେଉଥିବା ରୋଗୀଙ୍କ ନାକରେ ପଶେ। ପରେ ସେହି ଫଙ୍ଗସ ସେଠାରେ ରହି ବୃଦ୍ଧି ପାଇଥାଏ। ଏହି ଫଙ୍ଗସ ବୃଦ୍ଧି ଘଟିଲେ ନାକ ଆଖପାଖରେ ଥିବା ଟିସୁ ଗୁଡ଼ିକୁ ନଷ୍ଟ କରିଥାଏ। ସେହି ସମୟରେ ଚିକିତ୍ସା ନକଲେ ସ୍ଥିତି ଭୟଙ୍କର ହୋଇଥାଏ। ଧୀରେ ଧୀରେ ଫଙ୍ଗସ ନାକରୁ ମୁଣ୍ଡକୁ ଉଠିଯାଏ। ପରବର୍ତ୍ତୀ ସମୟରେ ରୋଗୀର ମୃତ୍ୟୁ ଘଟିଥାଏ।’
    ସେ କହିଛନ୍ତି- ‘ଚିହ୍ନଟ ହୋଇଥିବା ଫଙ୍ଗସ ଭାରତୀୟ ବାୟୁମଣ୍ଡଳରେ ରହିଛି। ଏଥିରୁ ବର୍ତ୍ତିବା ପାଇଁ ହେଲେ କୋଭିଡ ପରି ମାସ୍କ ପରିଧାନ କରିବାକୁ ପଡ଼ିବ। ଯେଉଁମାନଙ୍କୁ ଡାଇବେଟିସ୍ ହୋଇଥିବ ବା ବହୁ ମାତ୍ରାରେ ଷ୍ଟିରଏଡ ନେଉଥିବେ, ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ। ଏହି ଭୂତାଣୁ କୋଭିଡ୍ ହୋଇଥିବା ଓ କୋଭିଡ ହୋଇନଥିବା ରୋଗୀଙ୍କ ଶରୀରରେ ବ୍ୟାପିପାରେ।’
    ଡାକ୍ତର ବିନୟ ହାଲୁର ଆହୁରି କହିଛନ୍ତି, ‘୨୦୧୮ ମସିହାରେ ଜଣେ ରୋଗୀ ଏମ୍ସ ଆସିଥିଲେ। ତାଙ୍କୁ ପରୀକ୍ଷା ନିରୀକ୍ଷାରୁ ଏହି ନୂଆ ଫଙ୍ଗସ ସମ୍ପର୍କରେ ସୂଚନା ମିଳିଥିଲା। ପରବର୍ତ୍ତୀ ସମୟରେ ଅଧିକ ରିସର୍ଚ୍ଚ କରାଯାଇଥିଲା। ଡିଏନଏ ଟେଷ୍ଟ କରାଯିବା ପରେ ନୂଆ ଫଙ୍ଗସ ଚିହ୍ନଟ ହୋଇଥିଲା। ପରେ ଏହାର ନାମ ‘ଅରୁଣାଲୋକେ’ ବ୍ଲାକ ଫଙ୍ଗସ୍ ରଖାଯାଇଛି।’