ଅଗଷ୍ଟରୁ ଏମ୍ସ ଭୁବ​‌ନେଶ୍ବରରେ ଆରମ୍ଭ ହେବ ବୃକକ ପ୍ରତିରୋପଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନଙ୍କର ଆସ୍ଥାଭାଜନ ହେବାରେ ସଫଳ ହୋଇଛି। ଆଗାମୀ କିଛିବର୍ଷ ମଧ୍ୟରେ ଏହା ଦେଶର ଏକ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବା ନେଇ କୌଣସି ସଂଶୟ ନାହିଁ। ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଏହି ଜାତୀୟ ଅନୁଷ୍ଠାନ ଅନେକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏକ ଗୌରବମୟ ଭବିଷ୍ୟତର ବିଶ୍ୱାସ ସୃଷ୍ଟି କରିଛି। ରୋଗୀ ସେବା, ଗବେଷଣା ଅଥବା ଅନ୍ୟାନ୍ୟ ବିଭିନ୍ନ ସାମାଜିକ କଲ୍ୟାଣ କାର୍ୟ୍ୟ, ଏମ୍ସ ଭୁବନେଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅନେକ ପ୍ରଶଂସା ଅର୍ଜନ କରିଥିବା ଏହି ଅନୁଷ୍ଠାନର ଦଶମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କାର୍ୟ୍ୟକ୍ରମରେ ଏମ୍ସ ଯୋଧପୁରର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମ ଦଶନ୍ଧିର ସଫଳ ଯାତ୍ରା ପାଇଁ ଏମ୍ସ ଭୁବନେଶ୍ୱରର ଚିକିତ୍ସକ, କର୍ମଚାରୀ ଏବଂ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ଗବେଷଣାରେ ଡିଜିଟାଲ ନବସୃଜନ ପାଇଁ ଟେକ୍ନୋଲୋଜିର ସହଯୋଗ ଉପରେ ପ୍ରଫେସର ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ଆଭାଷୀ ସମ୍ଭାଷଣରେ ଏମ୍ସ ଭୁବନେଶ୍ୱର ନବନିଯୁକ୍ତ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁପରିଚାଳନା ପାଇଁ ଉନ୍ନତ ଦଳଗତ କାର୍ୟ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍ସକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଭାବରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ ଏମ୍ସ ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ବୃକକ (ରେନାଲ୍ ଟ୍ରାନ୍ସପ୍ଲାଣ୍ଟ) ସର୍ଜରୀ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ଜାତୀୟ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟ (ଡିଏମଇଟି)ଙ୍କ ଠାରୁ ଆବଶ୍ୟକ ଅନୁମତି ପାଇସାରିଛି। ଏଥିସହିତ ଖୁବ୍ ଶୀଘ୍ର ଏଠାରେ ଏକ ଉତ୍ସର୍ଗୀକୃତ ଵର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ୱାର୍ଡ, ନୂତନ ଟ୍ରମା ଏବଂ ଜରୁରୀକାଳୀନ ୱାର୍ଡ ଏବଂ ଧର୍ମଶାଳା ସେବା ଆରମ୍ଭ ହେବାକୁ ଯାଉଥିବା ଡକ୍ଟର ତ୍ରିପାଠୀ ସୂଚନା ଦେଇଥିଲେ।