ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶେ ପ୍ରେମର ନିଦର୍ଶନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ସମସ୍ତ ରାଜ୍ୟ ପରିକ୍ରମା କରୁଛି।
ଏହି ପରିପ୍ରେକ୍ଷୀରେ ଆଜି ଉଭୟ ରଥକୁ ସୁନ୍ଦରଗଡ଼ ସୀମା ବୀରମିତ୍ର ଗେଟଠାରେ ସୁନ୍ଦରଗଡ଼ ଜିଲ୍ଲାଠାରୁ ଗ୍ରହଣ କରାଯାଇଥିଲା। ସେଠାରେ ଭସ୍ମା ଗ୍ରାମବାସୀ ମାନେ ଏହି ଅହିଂସା ରଥ ଯୋଡିକୁ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସଦର ବ୍ଲକ୍ ଉପାଧ୍ୟକ୍ଷା ଚନ୍ଦ୍ରମା ମେହେର, ଭସ୍ମା ସରପଞ୍ଚ, ଓ୍ୱାର୍ଡ ସଭ୍ୟ, ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ସେହିପରି ସଦର ବ୍ଲକ୍ ସ୍ଥିତ ଭେଡ଼ାଭାଇ ଗ୍ରାମ ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟ ଠାରେ ଅହିଂସା ରଥକୁ ପାରମ୍ପାରିକ ଆଦିବାସୀ ନୃତ୍ୟ ଓ ସଂଗୀତ ମାଧ୍ୟମରେ ପାଛୋଟି ନିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ସୁବ୍ରତ ମାଝୀ, ଭେଡ଼ାଭାଇ ସମିତିସଭ୍ୟ, ସରପଞ୍ଚ, ଓ୍ୱାର୍ଡ ସଭ୍ୟ, ସଦର ବିଡିଓ ବିନୟ କୁମାର ପଟେଲ, ଛାତ୍ରଛାତ୍ରୀ, ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ। ସୁନ୍ଦରଗଡ଼ ପୌରାଞ୍ଚଳଠାରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଭିନ୍ନ ସାଂସ୍କୃତିକ ଦଳ, ଜନସାଧାରଣ ଅହିଂସା ରଥକୁ ନୃତ୍ୟଗୀତ ପରିବେଷଣ ପୂର୍ବକ ଏକ ବିଶାଳ ଶୋଭାଯାତ୍ରାରେ ମହିଳା ମହାବିଦ୍ୟାଳୟ ଛକଠାରୁ ମାଦ୍ରୀ କାଲୋ ଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଶୋଭାଯାତ୍ରାରେ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ସୁନ୍ଦରଗଡ ପୌର ଅଧ୍ୟକ୍ଷା ତନୟା ମିଶ୍ର, କାଉନସିଲର ବୃନ୍ଦ, ସଦର ଉପ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ପୌରାଞ୍ଚଳର ନିର୍ବାହୀ ଅଧିକାରୀ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ।