ରାଜ୍ୟରେ ସାର ଅଭାବ: କେନ୍ଦ୍ରକୁ ଚିଠି ଲେଖିଲେ କୃଷି ମନ୍ତ୍ରୀ

  • ଭୁବନେଶ୍ୱର: ଚାଷ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବାବେଳେ ରାଜ୍ୟରେ ସାର ଅଭାବ ଦେଖାଦେଇଛି। ଫଳରେ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରିଫ ଋତୁରେ ଚାଷୀଙ୍କୁ ସାର ଯୋଗାଣ ପାଇଁ ରାଜ୍ୟ ସରକାର ସୋମବାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏନେଇ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ଙ୍କୁ ଚିଠି ଲେଖିଛନ୍ତି। ଏପ୍ରିଲ ମାସରେ ଆବଣ୍ଟନ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଯାଇଛି। କିନ୍ତୁ ମେ’ ଓ ଜୁନ ମାସର ସାର ଆବଣ୍ଟନରେ ଅଭାବ ଦେଖାଦେଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ଗତବର୍ଷ ସ୍ୱଳ୍ପ ଯୋଗାଣ ହେତୁ ରାଜ୍ୟରେ ୟୁରିଆ ଅଭାବ ଦେଖାଦେଇଥିଲା। ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତବର୍ଷର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜୁନ୍ ଓ ପରବର୍ତ୍ତୀ ମାସଗୁଡ଼ିକରେ ଆବଶ୍ୟକୀୟ ସାର ଯୋଗାଣ ନିଶ୍ଚିତ କରିବାକୁ କୃଷିମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।