ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ପଙ୍ଗପାଳ ଦଳ ପାକିସ୍ତାନରୁ ରାଜସ୍ଥାନ ଦେଇ ମଧ୍ୟପ୍ରଦେଶରେ ପଶିଲେଣି। ତେବେ ବର୍ତ୍ତମାନ ଓଡ଼ିଶାରେ ପଶିବାକୁ ଆଉ ବେଶି ବାଟ ନାହିଁ। ତେଣୁ ଏହି ପଙ୍ଗପାଳ ପୋକଙ୍କ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବା ପାଇଁ ନିମ୍ନଲିଖିତ ପରାମର୍ଶ ଗୁଡ଼ିକୁ ଅବଲମ୍ବନ କରିବା ପାଇଁ ଓୟୁଏଟି ପକ୍ଷରୁ ଜାରି ହୋଇଛି।
-ନିୟମିତ ଭାବେ କୃଷି ପରାମର୍ଶଗୁଡ଼ିକୁ ଶୁଣି କାର୍ଯ୍ୟ କରନ୍ତୁ।
-ସୀମାବର୍ତ୍ତୀ ରାଜ୍ୟ ମାନଙ୍କରେ ପଙ୍ଗପାଳ ପୋକ ପହଞ୍ଚିଲେ କ୍ଷେତ୍ରରେ ଥିବା ଫସଲ ଉପରେ ପ୍ରତିଷେଧକ ବ୍ୟବସ୍ଥା ହିସାବରେ ୫ ପ୍ରତିଶତ ନିମ୍ବମଞ୍ଜି ଉଦ୍ଧୃତାଂଶର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଉପରବେଳା ସିଂଚନ କରନ୍ତୁ।
-ଏହା ବଦଳରେ ବଜାରରେ ମିଳୁଥିବା ୩୦୦ ପିପିଏମର ନିମ୍ବ ଆଧାରିତ କୀଟନାଶକ ଏକର ପ୍ରତି ଏକ ଲିଟର ହିସାବରେ ୨୦୦ ଲିଟର ପାଣି ସହିତ ମିଶାଇ ଉପରବେଳା ସିଂଚନ କରାଯାଇପାରେ।
-ସେହିପରି ପଙ୍ଗପାଳ ଦଳ ଫସଲ କିଆରୀରେ ପହଞ୍ଚିଥିଲେ, ସେଗୁଡ଼ିକୁ ବିଭିନ୍ନ ଉପାୟରେ ଯଥା ଟିଣ ବାଡେଇ, କଣ୍ଟାଯୁକ୍ତ ଡାଳରେ ପିଟି ଘଉଡାଇବାର ବ୍ୟବସ୍ଥା କରନ୍ତୁ।
-ସନ୍ଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ବଡ଼ ଗଛ ତଳେ ପଲିଥିନ ଜରି ବିଛାଇ ଡାଳଗୁଡ଼ିକୁ ହଲାଇଦେଲେ, ସେମାନେ ଜରି ଉପରେ ଗଳି ପଡ଼ିବେ। ପରେ ସେମାନଙ୍କୁ ଏକତ୍ର କିରୋସିନି ମିଶା ପାଣିରେ ପକାଇ ଦେଲେ ସେମାନେ ମରିଯିବେ।
-ଏତଦ୍ ବ୍ୟତୀତ କୀଟମାନଙ୍କ ଦ୍ୱାରା ଆକ୍ରାନ୍ତ ଫସଲ ଉପରେ ଉପରୋକ୍ତ ନିମ୍ବ ଆଧାରିତ କୀଟନାଶକ ସିଂଚନ କରନ୍ତୁ। କିମ୍ବା ଏକର ପ୍ରତି ୪୦୦ ମିଲି ପ୍ରୋଫେନୋଫସ୍ ୫୦ ଇସିକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ।