ଯାଜପୁରରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ସମସ୍ତ ୩ ସଂକ୍ରମିତଙ୍କର ରହିଛି କୋଲକାତା ଲିଙ୍କ୍‌। ୩ ସଂକ୍ରମିତଙ୍କ ମଧ୍ୟରେ ଜଣେ ଯୁବତୀ ଓ ୨ଜଣ ପୁରୁଷ। ଯୁବତୀଙ୍କ ବୟସ ୧୮ ଓ ପୁରୁଷ ଦୁଇ ଜଣଙ୍କର ୫୬ ଓ ୬୫ ବର୍ଷ। ଜଣେ ଯୁବତୀ ଓ ଜଣେ ପୁରୁଷ କଟିକଟା ଅଞ୍ଚଳର। ଏହି ୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ଯାଜପୁରରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ତେବେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୫୮୮ ନମୁନା ପରୀକ୍ଷା ହୋଇଛି। ସେହିପରି ଏବେ ସୁଦ୍ଧା ୩୧,୬୯୬ ନମୁନା ପରୀକ୍ଷା ହୋଇଛି। ସେମାନଙ୍କ ମଧ୍ୟରୁ ୧୨୮ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ୧୨୮ ଜଣଙ୍କ ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇଛନ୍ତି, ୮୮ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି।